ଦିନରେ ଘୁଷୁରି ଚରାଳି ରାତିରେ ଚୋରି
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଅନ୍ତର୍ଗତ ଓଷକଣା ପଂଚାୟତ ଭଟଣା ଗ୍ରାମର ଆରତବନ୍ଧୁ ବରାଳ ଘରୁ ଚୋରି ଯାଇଥିବା ଆରତବନ୍ଧୁ ରବିବାର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତିରେ ଆରତଙ୍କ ପରିବାର ଘରେ ଶୋଇଥିବା ସମୟରେ ଘରର ଝରକା ଦେଇ କେହି ଦୁବୃତ ଘରେ ପଶି ଗୋଟିଏ ବାକ୍ସ ଓ ଏକ ଆଟାଜ ନେଇଯାଇଥିଲେ । ଆଟାଜ ମଧ୍ୟରେ କିଛି ସୁନା,ଗହଣା ଓ ଟଙ୍କା ରହିଥିଲା । ଚୋରି କରିବା ସମୟରେ ହଠାତ ଆରତଙ୍କ ନିଦ ଭାଙ୍ଗିଯାଇଥିଲା ଓ ସେ ଦୁବୃତମାନଙ୍କୁ ଧରିବା ପାଇଁ ଗୋଡାଇଥିଲେ । ଦୁବୃତମାନେ ଶିଖର ଟୁଙ୍ଗି ଆଡକୁ ଯାଇଥିଲେ , ଯାହାକୁ ଆରତ ଚିହ୍ନି ପାରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତରେ ଜୈନିକ ବ୍ୟକ୍ତିକୁ ପୋଲିସର ଜିମା ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗକୁ ଭିତି କରି ଥାନା ପକ୍ଷରୁ ତଦନ୍ତ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଧରାଯାଇଥିବା ବ୍ୟକ୍ତି ଘୁଷୁରି ରକ୍ଷକ । ଉକ୍ତ ବ୍ୟକ୍ତିଙ୍କ ସହିତ କିଛି ଦିନ ତଳେ ୧୫ ରୁ ୨୦ ଜଣ ପ୍ରଥମେ ଉକ୍ତ ବ୍ଳକର ଗାରୋଇ ଠାରେ ଘୁଷୁରି ରଖି ରହୁଥିଲେ । ସେଠାରେ ରାତିରେ ଅନେକଙ୍କ ଘରୁ ଚୋରି ହେବାରୁ ସ୍ଥାନୀୟ ଲୋକ ସେଠାରୁ ସେମାନଙ୍କୁ ତଡି ଦେଇଥିଲେ । ପରେ ସେମାନେ ଅଙ୍ଗେଶ୍ୱରପଡାର ଦେବୀନଦୀ ପଠାର ବାଲି ଉପରେ ଘୁଷୁରି ରଖି ରହୁଥିଲେ । ଦିନରେ ଘୁଷୁରି ଚରାଉ ଥିବା ବେଳେ ଆଖ ପାଖ ଅଂଚଳ ଠାବ କରି ବିଳମ୍ବିତ ରାତିରେ ଚୋରି କରୁଥିବା ଜଣାଯାଇଛି । ଥାନା ପକ୍ଷରୁ ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି । ସେମାନଙ୍କ ନିକଟରୁ କିଛି ସୁନା ଗହଣା ଜବତ କରାଯାଇଥିବା ବେଳେ ସେମାନଙ୍କ ଘର କେଉଁ ଅଂଚଳରେ ସଠିକ ଜଣାପଡିନାହିଁ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ସେମାନେ କେନ୍ଦ୍ରାପଡାରୁ ଆସି ଏଠାରେ ରହୁଛନ୍ତି । ଏ ସଂର୍ପକରେ ନାଉଗାଁ ଥାନା ଆଇଆଇସି ଭରତ ବେହେରାଙ୍କୁ ପଚାରିବାରୁ ତଦନ୍ତ ଚାଲୁ ରହିଛି, ସେମାନଙ୍କ ପାଖରେ ଆଧାର କାର୍ଡ ନଥିବାରୁ ସେମାନଙ୍କର ନାମ ଓ ଠିକଣା ସଠିକ ଜଣାପଡୁନାହିଁ ବୋଲି କହିଛନ୍ତି ।


