ଦିନିଆରୀରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍):ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ଦିନିଆରୀ ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର କ୍ଲବ ଆନୁକୂଲ୍ୟରେ ଆରାଧ୍ୟ ଠାକୁର ନୀଳକଣ୍ଠ ଦେବଙ୍କ ମନ୍ଦିର ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । କ୍ଲବର ବରିଷ୍ଠ ଉପଦେଷ୍ଟା ବାସୁଦେବ ବେହେରା ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ । କବି ପ୍ରସନ୍ନ କୁମାର ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ “ତମାଖୁ ସେବନ, ବିନାଶକୁ ନିମନ୍ତ୍ରଣ’ ଶୀର୍ଷକ କବିତା ପାଠ ଓ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତ ମୁଖ୍ୟ ଅତିଥି, ଡାକ୍ତର ଧନେଶ୍ୱର ସାହୁ ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ଅବସରପ୍ରାପ୍ର ପ୍ରଶାସିକା ସଂଘମିତ୍ରା ରଥ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ତମାଖୁର ବ୍ୟାପକ ବ୍ୟବହାର ସଭ୍ୟ ସମାଜର ମୁଖ୍ୟ ପ୍ରତିବନ୍ଧକ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ପ୍ରାଧ୍ୟାପକ ଶ୍ରୀ ପାଣିଗ୍ରାହୀ ସ୍ୱ ରଚିତ ତମାଖୁ ବର୍ଜନ ସମ୍ବନ୍ଧୀୟ ସଚେତନତା ସଙ୍ଗୀତ ପରିବେଷଣ କରିଥିଲେ । ପରେ ସମ୍ପାଦକ ଶକ୍ତି ପ୍ରସାଦ ତ୍ରିପାଠୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଇଥିଲେ ଓ ସଭାପତି ସମସ୍ତଙ୍କୁ ତମାଖୁ ବର୍ଜନ କରିବା ପାଇଁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଦିନିଆରୀ ଗ୍ରାମର ଶିକ୍ଷକ ତପନ କୁମାର ତ୍ରିପାଠୀ ଓ ନୀଳକଣ୍ଠପୁର ଗ୍ରାମର ଗୃହିଣୀ ବାସନ୍ତୀ ମିଶ୍ରଙ୍କୁ ତମାଖୁ ବର୍ଜନ ସଚେତନତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଗାୟକ ରମେଶ ଚନ୍ଦ୍ର ମହାପାତ୍ର ଧୁଡୁକି ସଙ୍ଗୀତ ପରିବେଷଣ କରିଥିବା ବେଳେ ସଭ୍ୟ ଜୟନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।