ଦିନିକିଆ ଦଳରେ ନଟରାଜନ୍‌ ସାମିଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୟୁଜ୍‌ବେନ୍ଦ୍ର ଚହଲ୍‌ ଏକ ଅଲୋଡ଼ା କୀର୍ତ୍ତି ପାଇଛନ୍ତି। କୌଣସି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତୀୟ ସ୍ପିନର ଭାବେ ସେ ମହଙ୍ଗା (ସବୁଠୁ ବ୍ୟୟବହୁଳ ରନ୍‌) ବୋଲିଂ ଚିତ୍ର ପାଇଛନ୍ତି। ଚହଲ ଶୁକ୍ରବାର ମ୍ୟାଚ୍‌ରେ ତାଙ୍କ ୧୦ ଓଭରରେ ୮୯ ରନ୍ ବ୍ୟୟ କରିଛନ୍ତି। ସେ ମାର୍କସ ଷ୍ଟୋଇନିସ୍‌ଙ୍କୁ ଗୋଲ୍‌ଡେନ୍‌ ଡକ୍‌ (୦)ରେ ଶିକାର କରିନେଇଥିଲେ ମଧ୍ୟ ମ୍ୟାକ୍ସୱେଲଙ୍କଠୁ ନିସ୍ତାର ପାଇନଥିଲେ। ଆଉ ମଜାଦାର କଥା ହେଲା ଏହି ଲେଗ୍‌ ସ୍ପିନର ମଧ୍ୟ ନିଜ ଅଲୋଡ଼ା କୀର୍ତ୍ତିମାନକୁ ହିଁ ଭାଙ୍ଗିଛନ୍ତି। ଚହଲ୍‌ ଏହା ପୂର୍ବରୁ ଗୋଟିଏ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ୮୮ ରନ୍‌ ବ୍ୟୟ କରିଥିଲେ। ସେ ୨୦୧୯ ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହି ରନ୍‌ ବ୍ୟୟ କରି ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏବେ ସିଡ୍‌ନିରେ ଏହି ସଂଖ୍ୟାକୁ ଟପି ଯାଇଛନ୍ତି। ତେବେ ଭାରତୀୟ ବୋଲର (ସ୍ପିନର ଅବା ପେସର୍‌) ଭାବେ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ସବୁଠୁ ବ୍ୟୟବହୁଳ ହେବାର ଅଲୋଡ଼ା କୀର୍ତ୍ତି ନିଜ ନାମରେ ରଖିଛନ୍ତି। ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚ୍‌ରେ ଭୁବନେଶ୍ବର କୁମାର ୧୦୬ ରନ୍‌ ବ୍ୟୟ କରିଥିଲେ। ଦ୍ରୁତ ବୋଲର ନଭ୍‌ଦୀପ୍‌ ସୈନି ଅଧା ଫିଟ୍‌ ଥିବାରୁ ତାଙ୍କ ବଦଳ ଖେଳାଳି ଭାବେ ବିସିସିଆଇ ଶୁକ୍ରବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଆରମ୍ଭର ଅବ୍ୟବହିତ ପୂର୍ବରୁ ବାମହାତୀ ସିମର୍‌ ଟି ନଟରାଜନ୍‌ଙ୍କୁ ଭାରତୀୟ ଦିନିକିଆ ଦଳରେ ସାମିଲ କରିଛି। ଆହତ ଥିବା ସୈନି ପୂରା ଶୃଙ୍ଖଳାରେ ଖେଳିବା ନେଇ ଆଶଙ୍କା ଥିବା କଥା ପୂର୍ବଦିନ ମଧ୍ୟରାତ୍ରୀରେ ବିସିସିଆଇ ପ୍ରେସ୍‌ ଇସ୍ତାହାରରେ ଜଣାଇଥିଲା। ସୈନି ପିଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହା ସତ୍ତ୍ବେ ସେ ଶୁକ୍ରବାର ପ୍ରଥମ ଦିନିକିଆ ଖେଳିଥିଲେ। ହେଲେ ପରବର୍ତୀ ମ୍ୟାଚ୍‌ ପାଇଁ ତାଙ୍କୁ ନେଇ ଆଶଙ୍କା ଥିବାରୁ ୨୯ ବର୍ଷ ବୟସ୍କ ତାମିଲନାଡୁ ୟର୍କର ବିଶେଷଜ୍ଞ ନଟରାଜନ୍‌ଙ୍କୁ ଦଳରେ ସାମିଲ କରାଯାଇଥିବା ବିସିସିଆଇ କହିଛି। ନଟରାଜନ୍‌ ପ୍ରାଥମିକ ଭାବେ ଭାରତୀୟ ଦଳରେ ନେଟ୍‌ ବୋଲର ଭାବେ ରହିଥିଲେ। କିନ୍ତୁ ପରେ ବରୁଣ ଚକ୍ରବର୍ତୀ ଆହତ ଯୋଗୁଁ ଓହରିଯିବାରୁ ତାଙ୍କୁ ଟି-୨୦ ଦଳରେ ସାମିଲ କରାଯାଇଥିଲା। ଏବେ ସେ ଦିନିକିଆ ଦଳର ସଦସ୍ୟ ପାଲଟିଗଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ