ଦିନ ମଜୁରିଆଙ୍କ ମୁହଁରେ ହସ ଫୁଟାଇଲା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ସଂକ୍ରମଣ କାରଣରୁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବା ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ)ରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ଯୋଜନାରେ ଶ୍ରମିକମାନଙ୍କର ଦୈନିକ ମଜୁରି ୨୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଇତିମଧ୍ୟରେ ବିଭିନ୍ନ ଗ୍ରାମାଂଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ ଯୋଜନା ଅଧୀନରେ କାମ ଆରମ୍ଭ ହୋଇଯାଇଛି । ଏହି ଯୋଜନାରେ ଓଡ଼ିଶାର ୬୧ ଲକ୍ଷ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଏହି ଯୋଜନାରେ ଦୈନିକ ୧୮୨ ଟଙ୍କା ମଜୁରି ମିଳୁଥିବା ବେଳେ ଏବେ ଶ୍ରମିକମାନେ ଦୈନିକ ୨୦୨ ଟଙ୍କା ପାରିଶ୍ରମିକ ପାଇବେ । ଦୈନିକ ୨୦ ଟଙ୍କା ଲେଖାଏଁ ହିସାବକୁ ନେଲେ ପ୍ରତ୍ୟେକ ଶ୍ରମିକ ୧୦୦ ଦିନର କାମ ପାଇଁ ଅତିରିକ୍ତ ୨ ହଜାର ଟଙ୍କାର ଲାଭ ପାଇପାରିବେ । ଏମ୍‌ଜିଏନ୍‌ଆର୍‌ଇଜିଏସ ଯୋଜନାରେ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨୨୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଲକଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ଏହି ଯୋଜନାରେ କାମ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି । ଏମ୍‌ଜିଏନ୍‌ଆର୍‌ଇଜିଏସ ଯୋଜନାରେ କାମ ପାଇଥିବା ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡିର ଦିନ ମଜୁରିଆ ମଧୁ ଗୌଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକଡାଉନ ସମୟରେ ପଂଚାୟତ ଜରିଆରେ ତାଙ୍କୁ କାମ ଯୋଗାଇ ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଏହାଛଡ଼ା ପୂର୍ବାପେକ୍ଷା ଅଧିକ ମଜୁରି ଯୋଗାଇ ଦେଉଥିବାରୁ ସେ ମୋଦୀ ସରକାରଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ଏହି ଅଂଚଳର ଅନ୍ୟ ଜଣେ ଦିନ ମଜୁରିଆ ଦାମୁ ଗୌଡ଼ ଜବ କାର୍ଡରେ କାମ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଲକଡାଉନ ସମୟରେ କାମ ବନ୍ଦ ଥିଲା । ଏବେ କାମ ଆରମ୍ଭ ହୋଇଛି । ଆଗ ଅପେକ୍ଷା ଏବେ ଅଧିକ ଟଙ୍କା ମିଳିବ, ସେଥିପାଇଁ ବେଶୀ ଖୁସି ଲାଗୁଛି । ମୋଦୀ ସରକାରଙ୍କୁ ସେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ ଯୋଜନାରେ ମାଟି ପକାଇବା କାମରେ ନିୟୋଜିତ ଶ୍ରମିକ ଜଗନ୍ନାଥ ମଧ୍ୟ ଗାଁ ପାଖରେ କାମ ପାଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଏଥର ଅଧିକ ମଜୁରି ମିଳିବ । ତେଣୁ ଅଧିକ ଖୁସି ଲାଗୁଛି । ଏପରି ସହାୟତା ପାଇଁ ସେ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ କରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ଜାରି ହୋଇଥିବା ସମୟରେ ଗରିବ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜରେ ଏମଜିଏନଆରଇଜିଏସ ଯୋଜନା ଅନ୍ତର୍ଗତ ଦୈନିକ ମଜୁରି ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯିବାକୁ ଘୋଷଣା କରାଯାଇଥିଲା । ଏପ୍ରିଲ ପହିଲାଠାରୁ ବର୍ଦ୍ଧିତ ମଜୁରି ଲାଗୁ ହୋଇସାରିଛି । ଏଥିଯୋଗୁ ଦେଶର ୧୩.୬୨ କୋଟି ଶ୍ରମିକ ଉପକୃତ ହୋଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ