ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ୪ର୍ତ ଦିବସ ଶନିବାର ମା’ ବରୁଣେଇ କ୍ରିକେଟ କ୍ଳବ, ନନ୍ଦଳା ଓ ୧୫ ଅଗଷ୍ଟ କ୍ରିକେଟ କ୍ଳବ, ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ନନ୍ଦଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା । ଦଳପକ୍ଷରୁ ଅମର ୪୨ ବଲରେ ୫୪ ରନ ଓ ରୁପନ ରାଜ ୨୦ ବଲରୁ ୪୨ ରନ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ବ୍ରହ୍ମପୁର ଦଳ ୨୦ ଓଭରରେ ୬ଟି ୱିକେଟ ହରାଇ ୧୮୮ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳ ପକ୍ଷରୁ ତାଜ ୪୨ ବଲରୁ ଧୂଆଁଧାର ୭୦ରନ୍ କରି ଅପରାଜିତ ରହିଥିଲେ । ଫଳରେ ନନ୍ଦଳା ଦଳ ୩ ରନରେ ବିଜୟ ଲାଭ କରିଥିଲା । ବିଜୟୀ ଦଳ ପକ୍ଷରୁ ବଳରାମ ୨ ଓଭର ବୋଲିଂ କରି ୧୧ ରନ ବିନିମୟରେ ୩ଟି ୱିକେଟ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯାଇଥିଲା । ପ୍ରମୋଦ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ବଳରାମଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ପ୍ରଶାନ୍ତ ପାଢି ଓ ରଜତ ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ । ସଚିନ ସେଠି ଧାରା ବିବରଣୀ ପ୍ରଦାନ କରୁଥିବା ବେଳେ କାହ୍ନା ସାବତ ସ୍କୋରର ଥିଲେ । ପ୍ରଶାନ୍ତ ପ୍ରଧାନ, ତ୍ରିନାଥ ସାହୁ, ସୁକାନ୍ତ ପାତ୍ର, ସୁନିଲ ପାଠି, ଟିକୁ ମହାରଣା, ସୁରଜ ସୁବୁଦ୍ଧି, ଆଦିତ୍ୟ, ବାବୁଲି, ଲକି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଟୁର୍ଣ୍ଣାରମେଣ୍ଟର ୫ମ ଲିଗ ମ୍ୟାଚ ରବିବାର ରୟାଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଓ ରାଜବଂଶ କ୍ରିକେଟ କ୍ଳବ, ଶେରଗଡ ମଧ୍ୟରେ ଅନୁଷ୍ଠିତ ହେବ ।