ଦିପାବଳୀ ଯୋଗାଇ ପାରୁନି ବର୍ଷକର ଆହାର, ସଙ୍କଟ ରେ କୁମ୍ଭକାର
ଶେରଗଡ, (ଅନୀଲ କୁମାର ପଣ୍ଡା):ଆଲୋକ ର ପର୍ବ ଦିପାବଳୀ ଆଉ ମାତ୍ର ଦିନ କେଈଟା ଥିବା ବେଳେ ଶେରଗଡ ଓ ଏହାର ଆଖପାଖ ଅଞ୍ଚଳରେ ଥିବା କୁମ୍ଭକାର ପରିବାର ଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ପୂର୍ବ ପୁରୁଷ ରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କୁ କୌଳିକ ବୃତ୍ତି ଭାବେ ଆଦରି ନେଈଥିବା କୁମ୍ଭକାର ପରିବାର ବେସାହାରା। ଆଧୁନିକତାର ଚାକଚକ୍ୟ ରେ ମାଟି ତିଆରି ସାମଗ୍ରୀ ହଜିଯିବାକୁ ବସିଲାଣି। ପ୍ଲାଷ୍ଟିକ, ଫାଈବର,ଷ୍ଟିଲ ସାଙ୍ଗକୁ ରେଡିମେଡ,ମେସିନ ମେଡ ସାମଗ୍ରୀର ବଜାର ପ୍ରବେଶ ପରେ ମାଟିରେ ଗଢ଼ା କଳସ, ଦୀପ,ସୁରେଈ,ଆଟିକା,ମାଠିଆ, ପାଲମ,ସରା,ମାଟି ଗଢା କଣ୍ଢେଇ ଈତ୍ୟାଦି ର ଚାହିଦା ଧୀରେ ଧୀରେ କମିଲାଣି। ଏମିତି ହେଲେ ଆଉ କିଛି ବର୍ଷ ପରେ ମାଟି ଗଢା ସାମଗ୍ରୀ ଆଦୌ ଦେଖିବାକୁ ମିଳିବ ନାହିଁ। ଏହା କେବଳ ସ୍ମୃତି ହୋଇ ରହିଯିବ ବୋଲି ଧାରଣା ସୃଷ୍ଟି ହେଲାଣି। ଶେରଗଡ ବ୍ଲକ ର ବିଭିନ୍ନ ଗ୍ରାମରେ ଶତାଧିକ କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତି କୁ ଧରି ବିଭିନ୍ନ ହାଟ ବଜାରରେ ମାଟି ଗଢା ସାମଗ୍ରୀ ବିକ୍ରି କରି ବେଶ ଆରାମରେ ଚଳୁଥିଲେ। ଆଜି ତାହା ବୁଡିଯିବାକୁ ବସିଛି। ଶେରଗଡ ସହର ଅନ୍ତର୍ଗତ ରାମଗିରି ଗ୍ରାମର କୁମ୍ଭାର ସାହିରେ ପୂର୍ବରୁ 30 ରୁ ଉର୍ଦ୍ଧ୍ବ ପରିବାର ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ଲୋକଙ୍କ ଚାହିଦା ପୂରଣ କରିବା ସହ ନିଜେ ଶାନ୍ତି ରେ ପରିବାର ପ୍ରତିପୋଷଣ କରୁଥିଲେ। ପୂଜା ପର୍ବପର୍ବାଣି ରେ କଳସ,ଦୀପ ବ୍ୟବହାର ହେଉଥିବା ବେଳେ ଶୁଦ୍ଧି କାର୍ଯ୍ୟକ୍ରମ ରେ ହାଣ୍ଡି, ଆଟିକା, ପଲମ ଆବଶ୍ୟକ ହୁଏ। ଏବେ ଘରେ ଘରେ ଫ୍ରିଜ ର ଆଦର ଯୋଗୁଁ ଖରାଦିନେ ଆଉ ପୂର୍ବ ଭଳି ମାଠିଆ ବିକ୍ରି ହେଉନାହିଁ। କେବଳ ସିଜନ କୁ ଛାଡି ଦେଲେ ଅନ୍ୟ ଦିନ ମାନଙ୍କ ରେ ମୂଲମଜୁରୀ କରି ପରିବାର ଚଳାଉଥିବା ଜଣାପଡିଛି। କୂଳ ବେଉସା ଛାଡି ହେଉନାହିଁ କି ପେଟ ପୋଷି ହେଉନାହିଁ। ସରକାର ବହୁତ ଯୋଜନା ମାନ କରୁଥିବା ବେଳେ କୁମ୍ଭକାର ଶିଳ୍ପ ପ୍ରତି ସରକାରଙ୍କ କୌଣସି ନିୟମ କିମ୍ବା ଯୋଜନା ନାହିଁ। ବିନା ସରକାରୀ ସାହାଯ୍ୟ ଏବଂ ପ୍ରୋତ୍ସାହନ ରେ କୌଳିକ ବୃତ୍ତି କୁ କିପରି ଆମେ ଚଳାଈବୁ ବୋଲି କୁମ୍ଭକାର ପରିବାର ମାନେ ମତ ଦିଅନ୍ତି। କେବଳ ଦିପାବଳୀ ସିଜନ କୁ ବାଦ ଦେଲେ ଅନ୍ୟ ଦିନ ମାନଙ୍କ ରେ ଘର ଘର ବୁଲି କାମ କରିବା ଏବଂ ମୂଲ ଲାଗି ତାଙ୍କ ପରିବାର ଚଳାଉଛନ୍ତି ବୋଲି କୁମ୍ଭକାର ପରିବାର ମାନେ ପ୍ରକାଶ କରିଛନ୍ତି। କଥାରେ ଅଛି, ହାଣ୍ଡି ଭାଙ୍ଗିଲେ ଖପରା,ଏଣୁ କାମ କଲା ବେଳେ ଏବଂ କାମ ସରିବା ପରେ ଏମିତି ବହୁତ ଜିନିଷ ଭାଙ୍ଗି ଯାଏ। ସେଥିପାଇଁ ଆମେ ବହୁତ କ୍ଷତି ସହୁ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ପାଉନାହୁଁ,ସେଥିଲାଗି ବର୍ଷକର ଖାଈବା ଯୋଗାଡ କରିପାରୁନାହୁଁ। ଏମିତି ରେ ପିଲା ଙ୍କୁ ମଣିଷ କରିବୁ କେମିତି। ଲୋକଙ୍କ ଅର୍ଡର ଅନୁଯାୟୀ କାମ କରୁଛୁ ନହେଲେ ଅନ୍ୟ ଦିନ ମାନଙ୍କରେ ହାତ ବାନ୍ଧି ବସୁଛୁ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି କୁମ୍ଭକାର ପରିବାର। ଅନୁରୂପ ଭାବେ ଦିପାବଳୀ ପାଇଁ ଦିପ ତିଆରି ରେ ବ୍ୟସ୍ତ ଥିବା କୁମ୍ଭକାର ପ୍ରସନ୍ନ ବେହେରା ଏହି ଦୀପ ପ୍ରସ୍ତୁତ କରିବାକୁ ଖୁସି ଲାଗେ କିନ୍ତୁ ଆମର ପରିବାର ଏହି କୌଳିକ ବୃତ୍ତି ରୁ ଧୀରେ ଧିରେ ନିବୃତ୍ତ ହେଲେଣି। ତେଣୁ ମନ ଦୁଃଖ ହେଉଛି ବୋଲି ପ୍ରକାଶ କରିଛନ୍ତି। ୩୦ ପରିବାର ବଦଳରେ ଏବେ ମାତ୍ର ୨ ରୁ ୩ ପରିବାର କୌଳିକ ବୃତ୍ତିକୁ ବିନା ସରକାରୀ ସାହାଯ୍ୟ, ସହଯୋଗ ଏବଂ ପ୍ରୋତ୍ସାହନ ରେ ଆଉ କେତେ ଦିନ ବଞ୍ଚାଇ ପାରିବୁ୍। ହଜିଯିବାକୁ ବସିଥିବା ଏହି କୌଳିକ ବୃତ୍ତି କୁ ପ୍ରୋତ୍ସାହନ ଦେଇ ପୁନରୁଦ୍ଧାର କରିବା କଣ ସରକାରଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ନୁହେଁ କି ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।