ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଦିବଂଗତ ସାମ୍ବାଦିକ ରତ୍ନାକର ବେହେରାଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସ୍ୱର୍ଗତ ରତ୍ନାକର ବେହେରା ନୀଳିଗିର ଅଂଚଳରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା ବୃତି ସହ ଜଡିତ ରହିବା ସହିତ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଭାବେ ପରିଚିତ ଥିଲେ । ଗତ ଅକ୍ଟୋବର ୧୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ଏହା ପରେ ତାଙ୍କ ପରିବାର ଆର୍ଥିକ ଅନାଟନରେ ରହିଥିବା ନେଇ ସ୍ୱର୍ଗତ ରତ୍ନାକର ବେହେରାଙ୍କ ସ୍ତ୍ରୀ ମାଳତୀ ବେହେରା ଆର୍ଥିକ ସହାୟତା ନିମନ୍ତେ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ତାଙ୍କ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ ହେବା ପରେ ଜିଲ୍ଲା ରେଡକ୍ରସରୁ ୧୫ହଜାର ଟଙ୍କାର ସହାୟତା ରାଶି ମଞ୍ଜୁର କରିଥିଲେ । ଆଜି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ସ୍ୱର୍ଗତ ବେହେରାଙ୍କ ସ୍ତ୍ରୀ ମାଳତୀ ବେହେରାଙ୍କୁ ୧୫ହଜାର ଟଙ୍କାର ଚେକ ପ୍ରଦାନ କରିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସହାୟତା ରାଶି ପ୍ରଦାନ ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ତାପସ କୁମାର ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।