ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସହାୟତା ରାଶି
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରେ କାର୍ଯ୍ୟରତ ଥିବା ଦୈନିକ ସମ୍ବାଦପତ୍ର “ସମୟ” ର ପୂର୍ବତନ ପ୍ରତିନିଧି ସ୍ୱର୍ଗତ ହରିଶ ଚନ୍ଦ୍ର ସ’ ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ୪(ଚାରି) ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସ୍ୱର୍ଗତ ସ’ ୨୦୨୦ମସିହାରେ କୋଭିଡ୍ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ମଧ୍ୟ ପରବର୍ତୀ ପର୍ଯ୍ୟାୟରେ ଅତି ଜଟିଳ କିଡ୍ନୀଜନୀତ ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେରେ ଭର୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ମସିହା ଜାନୁଆରୀ ୧୦ ତାରିଖରେ ତାଙ୍କର ପରଲୋକ ହୋଇଥିଲା । ଦିବଂଗତ ସାମ୍ବାଦିକ ରାଜ୍ୟ ସରକାରଙ୍କ ପ୍ରଦତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚିକିତ୍ସା ସୁୂବିଧା ପାଇଥିବା ବେଳେ ମୃତ୍ୟୁ ପରେ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ବାଲେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଥିଲା । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହାକୁ ବିଚାରକୁ ନେଇ ୪ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରିଥିଲେ । ଏହି ସରକାରୀ ସହାୟତା ରାଶି ସିଧାସଳଖ ସ୍ୱର୍ଗତ ସ’ ଙ୍କ ପତ୍ନୀ ଜୟନ୍ତୀ ରାଣୀ ପାଢୀଙ୍କ ବ୍ୟାଙ୍କ ଜମାଖାତାକୁ ଆକାଉଂଟ ଟ୍ରାନ୍ସଫର ଜରିଆରେ ପ୍ରଦାନ କରାଯାଇଛି । ସହାୟତା ରାଶି ମିଳିବା ପରେ ସ୍ୱର୍ଗତ ସ’ ଙ୍କ ପତ୍ନୀ ଜୟନ୍ତୀ ରାଣୀ ପାଢୀ ଏବଂ ତାଙ୍କ ପରିବାରବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ମଧ୍ୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।