ଦିବ୍ୟାଙ୍ଗ,ଚାଷୀ ଓ ହକର ଙ୍କୁ ସମାଜସେବୀ ଙ୍କ ସହାୟତା ପ୍ରଦାନ
ନିମାପଡ଼ା, (ସନ୍ତୋଷ ଦାଶ):ଗରିବ, ଅବହେଳିତ ଅସହାୟ ବ୍ୟକ୍ତିମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ସମଗ୍ର ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାରେ ରହି ଆସିଥିବା ସମାଜସେବୀ ଜିତୁ ମହାନ୍ତି ଆଉ ଏକ ପାଦ ଆଗକୁ ଯାଇ ନିଆରା ଢଙ୍ଗରେ ଗ୍ରାମାଞ୍ଚଳ ର ଛୋଟ ଚାଷୀ ମାନଙ୍କୁ, ଦିବ୍ୟାଙ୍ଗ ଓ ଖବରକାଗଜ ବଣ୍ଟନ କରୁଥିବା ହକର ମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି। ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଭାଣପୁର ଠାରେ ଥିବା ଏକ ମଣ୍ଡପ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଶତାଧିକ ବ୍ୟକ୍ତି ବିଶେଷ ଉପକୃତ ହୋଇଛନ୍ତି । ହାଟରେ ବସି ପରିବା ବିକ୍ରୟ କରୁଥିବା କ୍ଷୁଦ୍ର ବ୍ୟବସାୟୀ ତଥା ଚାଷୀ ମାନଙ୍କୁ କମ୍ପୁଟର ଓଜନ ଯନ୍ତ୍ର ପ୍ରଦାନ କରିଥିଲେ ।ଖରା ବର୍ଷାରେ ଅବିଛିନ୍ନ ସେବା ଯୋଗାଇ ଦେଉଥିବା ଖବରକାଗଜ ହକର ଭାଇ ମାନେ ଖବରକାଗଜ ବଣ୍ଟନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କିଏ ଚାଲି ଚାଲି କାଗଜ ବାଣ୍ଟୁଛି ତ ଆଉ କିଏ ପୁରୁଣା ଭଙ୍ଗା ସାଇକେଲରେ ଶହ ଶହ କାଗଜ ଲଦି ବିଭିନ୍ନ ଗାଁ ଠୁଁ ବଜାର ବାଣ୍ଟିବାକୁ ନାକେଦମ ହେଉଛି। ଏହାକୁ ଦୃଷ୍ଟିରେ ରଖି ନିମାପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳର ପ୍ରାୟ ୫୦ ଜଣ ହକର ମାନଙ୍କୁ ନୂଆ ସାଇକେଲ ପ୍ରଦାନ କରିଥିଲେ । ଏତଦବ୍ୟତୀତ ୧୦ଜଣ ଦିବ୍ୟାଙ୍ଗ ପୁରୁଷ ଓ ମହିଳାମାନଙ୍କୁ ତିନି ଚକିଆ ଟ୍ରାଇ ସାଇକେଲ ମଧ୍ୟ ପ୍ରଦାନ କରାଯାଇଥିଲା। ଗରିବ ଅବହେଳିତ ଙ୍କୁ ସାହାଯ୍ୟ ସହଯୋଗର ଉଦ୍ଦେଶ୍ୟ କଣ ବୋଲି ପଚାରିବାରୁ ଜିତୁଙ୍କ ପ୍ରତିକ୍ରିୟା ଏପରି ଥିଲା ଯେ, ମୁଁ ଗରିବ ପରିବାରରୁ ଆସିଛି ଗରିବ ଙ୍କ ଦୁଃଖ, ଅଭାବକୁ ମୁଁ ଭଲଭାବେ ହୃଦୟଙ୍ଗମ କରିଛି। ତେଣୁ ଗରିବ, ଅବହେଳିତଙ୍କୁ ସାହାଯ୍ୟ, ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଯଦି ସମାଜସେବା କରିବା ପାଇଁ ରାଜନୈତିକ ସୁଯୋଗ ମିଳେ ତେବେ ଏହି ସେବାକୁ ମୁଁ ଦ୍ବିଗୁଣିତ କରିବାକୁ ପ୍ରତିଜ୍ଞାବଦ୍ଧ ରହିଛି। ସମାଜସେବୀ ଜିତୁ ଙ୍କ ଏହି କାର୍ଯ୍ୟ ଏବେ ସମଗ୍ର ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ର ବିଷୟ ପାଲଟିଛି।