ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ଉପକରଣ ବାଣ୍ଟିଲେ ଅତିରିକ୍ତ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପରିସରରେ କାର୍ଯ୍ୟାକ୍ଷମ ଥିବା ଜିଲ୍ଲା ସମ୍ବଳ କେନ୍ଦ୍ରକୁ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଲୀନା କୁମାରୀ ଖେସ୍ ପରିଦର୍ଶନ କରି କେନ୍ଦ୍ରରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମନ୍ତେ ଥେରାପି ତାଲିମ୍ ସେବା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଛନ୍ତି । ୨୦୧୫ରୁ ଦୀର୍ଘ ୭ବର୍ଷ ଧରି ଜିଲ୍ଲାର ଗୁରୁତର ମସ୍ତିଷ୍କ ପକ୍ଷଘାତ, ଚଳନ ବାଧିତ ଓ ବାକ୍ ବାଧିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ଆବଶ୍ୟକତା ଭିତ୍ତିରେ ଉପଯୁକ୍ତ ଥେରାପି ତାଲିମ୍ ସେବା ପ୍ରଦାନ କରି ଆସୁଥିବା ଓ ଅନେକ ଦିବ୍ୟାଙ୍ଗ ଶିଶୁ ମଧ୍ୟ ଉପକୃତ ହେଉଥିବା ବିଷୟ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ପ୍ରକାଶ କରିଥିଲେ । ଏଭଳି ପ୍ରୟାସ ଫଳପ୍ରଦ ହେଉଥିବା ଜାଣି ପ୍ରତି ବ୍ଲକ୍ରେ ଥେରାପି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଆବେଶକ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ ରହିଛି । ବ୍ଲକସ୍ତରୀୟ ଥେରାପି କେନ୍ଦ୍ରକୁ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଆସି ଉପଯୁକ୍ତ ଥେରାପି ତାଲିମ ସେବା ବିନା ମୂଲ୍ୟରେ ଲାଭ କରିବା ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରାଯାଇଛି । ଜିଲ୍ଲା ସମ୍ବଳ କେନ୍ଦ୍ରରେ ଆଜି ମୋଟ ୨୨ ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଉପସ୍ଥିତ ରହି ଥେରାପି ତାଲିମ୍ ଗ୍ରହଣ କରୁଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍ ନିଜ ପରିଦର୍ଶନ ବେଳେ ଜାଣିବାକୁ ପାଇଥିଲେ । ସମ୍ବଳ ଶିକ୍ଷକ ଅଜୟ କୁମାର ସାହୁ ଓ ଉପେନ୍ଦ୍ର କୁମାର ସେଠୀ ଫିଜିଓ ଥେରାପି ତାଲିମ୍ ପ୍ରଦାନ କରିଥିବା ବେଳେ ସମ୍ବଳ ଶିକ୍ଷୟିତ୍ରୀ ଦୀପାଞ୍ଜଳି ମହାନ୍ତି ଓ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ବାକ୍ ତାଲିମ ପ୍ରଦାନ କରିଥିଲେ । ସାଇଟ୍ ସେଭର୍ସ ସଂସ୍ଥାର କର୍ମକର୍ତ୍ତା ଦୃଷ୍ଟିବାଧିତ ଶିକ୍ଷାର୍ଥୀଙ୍କୁ ବ୍ରେଲ୍ ଲିପି ଲିଖନ ଓ ପଠନ ତାଲିମ୍ ପ୍ରଦାନ କରିଥିଲେ । ଉପସ୍ଥିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ସହ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟକ୍ରମ ବିଷୟରେ ମତ ବିନିମୟ କରିବା ସହ ଏହା ଏକ ସୁନ୍ଦର ପ୍ରୟାୟ ବୋଲି କହିଥିଲେ । ପରେ ଉପସ୍ଥିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ହ୍ୱିଲ୍ ଚେୟାର, ଟ୍ରାଇ ସାଇକେଲ ଓ ଶବଣ ଯନ୍ତ୍ର ଆଦି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଇଓ ସିତାରାମ ପାତ୍ର, ସମଗ୍ର ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟର ଅର୍ଥ ପରମର୍ଶଦାତା ମଧୁସୂଦନ ପରିଡା, ଡ.ସନ୍ତୋଷ କୁମାର ପଣ୍ଡା, ସାବିତ୍ରୀବାଳା ଦାଶ, ଜ୍ୟୋତି ପ୍ରକାଶ ରଥ, ଇଂ. ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବଳ ଶିକ୍ଷକ ଡମ୍ବୁରୁ ଦୋରା, ଅଶ୍ୱିନୀ କୁମାର ପାଇକକାୟ, ବିଜୟ କୁମାର ବେହେରା, ପ୍ରଣବ କୁମାର ଶତପଥୀ, ତାରା ପ୍ରସାଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ପୂର୍ବକ ଜିଲ୍ଲା ସମ୍ବଳ କେନ୍ଦ୍ରରେ ଉପଯୁକ୍ତ ଥେରାପି ପ୍ରଦାନ ବ୍ୟବସ୍ଥା ଓ ଏହାର ଉପକାରିତା ସଂପର୍କରେ ପଦକ୍ଷେପ ନେଇଥିଲେ ।