ଦିବ୍ୟ ଜୀବନ ସଂଘ, ଦ୍ୱାରା ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର : ମଙ୍ଗଳବାର ଦିବ୍ୟ ଜୀବନ ସଂଘ, ଦ୍ୱାରା ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହରାଜଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିକାଟୁ ବଡ଼ ସାହି ଶିବମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଜପ, ଧ୍ୟାନ, ମହାମୃତ୍ୟୁଞ୍ଜୟ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ଦେବୀ ମନ୍ତ୍ର ଓ ସଫଳ ମନ୍ତ୍ର ସହ ୧୦୮ ହନୁମାନ ଚାଳିଶା ବିଶ୍ୱର କଲ୍ୟାଣ ନିମନ୍ତେ ପାଠ କରିବା ସହ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା । ଏଥିରେ ସ୍ୱାମୀଜୀ ମହାରାଜ କହିଥିଲେ ଯେ ହନୁମାନଙ୍କୁ ନିଷ୍ଠାର ସହିତ ପ୍ରାର୍ଥନା କରନ୍ତି, ନିଶ୍ଚିତ ଭାବେ ସେ ସିଦ୍ଧିପ୍ରାପ୍ତ କରିଥାନ୍ତି । କିନ୍ତୁ ଛୋଟ ଶିଶୁ ପରି ସରଳ ବିଶ୍ୱାସ ସହିତ ନିରହଂକାର ହେବା ଉଚିତ୍ । ସଦ୍ଗୁରୁ ସ୍ୱାମୀ ଚିଦାନନ୍ଦଙ୍କ ଭାଷାରେ ଶିଶୁ ସୁଲଭ ଗୁଣଗୁଡ଼ିକ ମୁକ୍ତିମାର୍ଗର ସୁଗମ ରାସ୍ତା ଅଟେ । ଶିଶୁର ମାନସ ପଟଟି କୌଣସି ପ୍ରକାରେ କଳୁଷିତ ହୋଇ ନ ଥାଏ । କ୍ରମବର୍ଦ୍ଧିଷ୍ଣୁ ଶିଶୁଟି ଯେତେ ବଡ଼ ହୁଏ ସେ ସଂସାରର ସେତିକି ସେତିକି ଅନୁଭୂତି ସଂଗ୍ରହ କରେ । ସେହି ଅନୁଭୂତି ସମୂହରୁ ଜ୍ଞାନ ପ୍ରାପ୍ତ ହେଲା ପରେ କେଉଁଟି ଠିକ୍ କେଉଁଟି ଭୁଲ୍ ସେ ନିଜେ ବାଛି ଉଚିତ୍ ରାସ୍ତା ଅବଲମ୍ବନ କରିଥାଏ ବୋଲି ସ୍ୱାମୀଜୀ କହିଥିଲେ । ଏଥି ସହିତ ସମସ୍ତଙ୍କର ରିଷ୍ଟ ଖଣ୍ଡନ ନିମନ୍ତେ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ସୁବାଷ ଚନ୍ଦ୍ର ପଣ୍ଡା, ସୁଜନ ପଣ୍ଡା, ଭାରତୀ ପଣ୍ଡା, ରାଜଲକ୍ଷ୍ମୀ ପଣ୍ଡା, ଝାଡ଼େଶ୍ୱର ପଣ୍ଡା, ରୁନା ସାବତ, କାହ୍ନା ସାବତ, ସ୍ନେହା ସାବତ, ସନାତନ ପାଢ଼ୀ, ମଙ୍ଗୁଳୁ ଗୌଡ଼, ସରସ୍ୱତୀ ସାହୁ ଙ୍କ ସମେତ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଭକ୍ତବୃନ୍ଦ ଯୋଗ ଦେଇଥିଲେ । ପରିଶେଷରେ ସୁବାଷ ଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


