ଦିଲ୍ଲୀରେ ନୃତ୍ୟାଞ୍ଜଳୀ ତରଫରୁ ସପ୍ତମ ଆନ୍ତର୍ଜାତୀୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୃତ୍ୟାଞ୍ଜଳୀ ତରଫରୁ ନୂଆଦିଲ୍ଲୀର ଲାଜପତ ଭବନ ମଞ୍ଚରେ ସପ୍ତମ ଆନ୍ତର୍ଜାତୀୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ଓ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବିଭିନ୍ନ ନୃତ୍ୟଶିଳ୍ପୀମାନେ ଯୋଗଦେଇ ନିଜ ନିଜର ନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶୀ, କଥକ, ଭରତ ନାଟ୍ୟମ୍, କୁଚିପୁଡ଼ି, ମଣିପୁରୀ ଓ ମୋହିନୀ ଅଟ୍ୟମ୍ ଶାସ୍ତ୍ରୀୟ ନୃତ୍ୟ ପରିବେଷଣରେ ଝୁମି ଉଠିଥିଲା ଦିଲ୍ଲୀର ନୃତ୍ୟ ମଣ୍ଡପ । ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଗୀତା ମହାଲିକ ଯୋଗ ଦେଇ ପ୍ରତିଯୋଗୀ, ନୃତ୍ୟଶିଳ୍ପୀ ଓ ସମସ୍ତ ଦର୍ଶକମାନଙ୍କୁ ନିଜ ଅଭିଭାଷଣରେ ଉଦ୍ବୋଧନ କରିଥିଲେ । କୁଚିପୁଡ଼ି ନୃତ୍ୟଗୁରୁ ଡ. ଭିଥଲ, ଡ. ଭାରଥି ଭିଥଲ, ଆୟକର ମୁଖ୍ୟ କମିଶନର ଶ୍ରୀ ଗୋପାଳ ଧଳ, ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଡ. ଦେବେନ୍ଦ୍ର ମାଝୀ ଓ ୱାଲର୍ଡ଼ ଫୋକସ୍ର ପ୍ରତିଷ୍ଠାତା ଡ. ଭବାନୀ ଦିକ୍ଷୀତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୃତ୍ୟଶିଳ୍ପୀ ଓ ଦର୍ଶକବୃନ୍ଦଙ୍କୁ ଉଦ୍ବୋଧନ କରିଥିଲେ । ନୃତ୍ୟାଞ୍ଜଳୀର ପ୍ରତିଷ୍ଠାତା ଶ୍ରୀ ସମାରୁ ମେହେର, ମୁଖ୍ୟ ଅତିଥି ଓ ସାମ୍ମାନିତ ଅତିଥି ସମସ୍ତ ନୃତ୍ୟଶିଳ୍ପୀ, ନୃତ୍ୟ ବିଜେତାମାନଙ୍କୁ ସାର୍ଟିଫିକେଟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ନୃତ୍ୟାଞ୍ଜଳୀ ଅନୁଷ୍ଠାନର ସମସ୍ତ ସଦସ୍ୟବୃନ୍ଦ ଓ ଦିଲ୍ଲୀ ଭୁଲିଆ ପରିବାରର ସଦସ୍ୟଗଣ ଶ୍ରୀ ପ୍ରଭାକର ମେହେର, ଡ. ସୁଶୀଲ ମେହେର, ନିର୍ମଳ ମେହେର ଓ ଶ୍ରୀ ରଞ୍ଜନ ମେହେର ଯୋଗଦାନ କରି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୃତ୍ୟାଞ୍ଜଳୀ ଅନୁଷ୍ଠାନ ସଭାପତି ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟଗୁରୁ ଶ୍ରୀ ସମାରୁ ମେହେର ।