ଦିଲ୍ଲୀରେ ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ
ଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ ନୂଆଦିଲ୍ଲୀ ଓ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ପ୍ରବଳ ଆନନ୍ଦ, ଉଲ୍ଲାସ ଓ ଉଦ୍ଦିପନାର ସହିତ ପାଳନ କରାଯାଇଥିବା ଜଣାଯାଇଛି । ଦିଲ୍ଲୀ, ନଏଡ଼ା, ସାହିବାବାଦ, ଗାଜିଆବାଦ୍, ଫରିଦାବାଦ, ରିୱାଡି ଓ ବହାଦୂର ଗଡ଼ ଆଦି ଅଂଚଳମାନଙ୍କରେ ଅବସ୍ଥିତ ଓଡ଼ିଆ ବସ୍ତିମାନଙ୍କରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ସେମାନଙ୍କର ପରିବାର ସହିତ ଶ୍ରୀ ଜଗନ୍ନାଥ ଓ ଠାକୁର ଅଭିରାମଙ୍କର ମନ୍ଦିରରେ ଯୋଗଦେଇ ପୂଜାର୍ଚ୍ଚନା, ସତ୍ସଙ୍ଗ କରିବା ସହ ସେବାକାର୍ଯ୍ୟ କରୁଥିବା ଦେଖାଯାଇଥିଲା । ଏହି ପୂଜା କାର୍ଯ୍ୟକ୍ରମରେ ସରକାରଙ୍କର ନିର୍ଦ୍ଦେଶ ମୁତାବକ ସାମାଜିକ ଦୂରତ୍ୱ ପାଳନ କରାଯାଇଥିଲା । ଏଠାକାର ଆଡଚିନି ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ମନ୍ଦିରରେ କରୋନା ମହାମାରୀର କରାଳ ଛାୟା ସତ୍ୱେ ଗୁରୁପୂର୍ଣ୍ଣିମା ବହୁ ଆଡମ୍ବର ସହକାରେ ପାଳନ କରାଯାଇଛି ବୋଲି ଜଣାଯାଇଛି । ସମାଜରେ ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ଓ ପ୍ରସାର ତଥା ସୁସ୍ଥ ସମାଜର ଗଠନ ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ଅଭିରାମ କଲ୍ଚରାଲ୍ ସେଂଟର୍ ଟ୍ରଷ୍ଟ୍ ଗଠନ କରାଯାଇଛି ଓ ଏହାର ପ୍ରତ୍ୟେକ ସଦସ୍ୟ ଏଥିପାଇଁ ଦାୟିତ୍ୱ ନିଷ୍ଠ । ଏହି ସଂସ୍ଥା ସମାଜର ହିତ ପାଇଁ ସମୟ ସମୟରେ ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମମାନ ଆୟୋଜନ କରିଥାନ୍ତି । ବିଗତ ଏକ ବର୍ଷରେ କାର୍ଯ୍ୟସୂଚୀ ମାଧ୍ୟମରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ପର୍ଯ୍ୟାବରଣ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍ ବିରୋଧୀ ଅଭିଯାନ ମଧ୍ୟ ଆୟୋଜନ କରିଛନ୍ତି । ଶ୍ରୀ ଶ୍ରୀ ଅଭିରାମ କଲ୍ଚରାଲ୍ ସେଂଟର୍ ପ୍ରବାସୀ ଓଡ଼ିଆମାନଙ୍କୁ ଏକତ୍ରିତ କରି ଠାକୁରଙ୍କ ବାଣୀ ସମେତ ଭାରତୀୟ ସଂସ୍କୃତି ଓ ଆଧ୍ୟାମିôକ ଜ୍ଞାନର ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ କରିବା ପାଇଁ ସଂକଳ୍ପବଦ୍ଧ । ଟ୍ରଷ୍ଟ୍ର ଅଧ୍ୟକ୍ଷ ବିଜୟ କୁମାର ସାମଲ ଇ-ପତ୍ରିକା ‘ଅଭିରାମ ଆଲୋକ’ ଏବଂ ୱେବ୍ସାଇଟ୍ www.shreeabhiramculturalcebter.come ଉଦ୍ଘାଟନ କରିଛନ୍ତି । ଟ୍ରଷ୍ଟ୍ ତରଫରୁ ଉପାଧ୍ୟକ୍ଷ ସର୍ବେଶ୍ୱର ସାହୁ, ଦୁର୍ଗା ବିଶ୍ୱାଳ, ଦେବେନ୍ଦ୍ର ସେଯେୱାଲ୍, ତ୍ରିଲୋଚନ ଜେନା, ସୁରିନ୍ଦର, ମାମଣ ରାମ ସାମାଜିକ ଦାୟିତ୍ୱ ଓ ଜାଗରଣ କ୍ରମରେ କରୋନା ପ୍ରତିରୋଧକ ସାମଗ୍ରୀ ଫେସ୍ ମାସ୍କ, ସାବୁନ୍ ଓ ସୁରକ୍ଷା ନିର୍ଦ୍ଦେଶାବଳୀ ସ୍ଥାନୀୟ ଲୋକଙ୍କୁ ବଂଟନ କରାଯାଇଥିଲା ।


