ଦିଲ୍ଲୀରେ ପଶିଛନ୍ତି ୪ ଆତଙ୍କବାଦୀ, ପାର୍ବଣରେ ବଡ଼ ଧରଣର ଆକ୍ରମଣ କରିବା ଆଶଙ୍କା
ନୂଆଦିଲ୍ଲୀ: ଜୈସ-ଏ-ମହମ୍ମଦ ୪ଜଣ ଆତଙ୍କବାଦୀ ଦିଲ୍ଲୀ ଭିତରକୁ ପ୍ରବେଶ କରିଛନ୍ତି । ପାର୍ବଣରେ ଏହି ଆତଙ୍କବାଦୀମାନେ ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ କରିବା ଆଶଙ୍କା ରହିଛି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ଏମାନେ ଦିଲ୍ଲୀକୁ ଆସିଛନ୍ତି ବୋଲି ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଦିଲ୍ଲୀ ସହିତ ଉତ୍ତର ଭାରତର ବିମାନ ବନ୍ଦର ଗୁଡ଼ିକୁ ସତର୍କ କରି ଦିଆଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀମାନେ ଜୋରଦାର ଖାନତଲାସି ଚଳାଇଛନ୍ତି । ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଜୋରଦାର ଯାଞ୍ଚ ଚାଲିଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଆଜି ସକାଳେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ବୈଠକ ହେବା ସହିତ ଆଲୋଚନା ହୋଇଛି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହିତ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଗତ ଅଗଷ୍ଟ ୫ ତାରିଖରେ ସଂସଦରେ ଏ ସଂକ୍ରାନ୍ତରେ ସରକାର ପଦକ୍ଷେପ ନେବା ପରଠାରୁ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଦିଆଯାଇଥିବା ଚିଠିରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନିଆଯିବ ବୋଲି ଧମକ ଦିଆଯାଇଛି । ଭାରତର ପ୍ରମୁଖ ରାଜନେତା ଏବଂ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀଙ୍କ ଆକ୍ରମଣ ଧମକ ମିଳିବା ପରେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ୩୦ଟି ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ଅଧିକାରୀମାନେ କହିଛନ୍ତି, ଜୈସ-ଏ-ମହମ୍ମଦର ସମସେର ୱାନି ନାମକ ଜଣେ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଚିଠି ଲେଖାଯାଇଛି । ଉକ୍ତ ଚିଠି ମିଳିବା ପରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍ଏଫ୍) ପକ୍ଷରୁ ଦିଲ୍ଲୀ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।


