ଦିଲ୍ଲୀରେ ପ୍ରଦୂଷଣ ବଢ଼ିବାରୁ ସ୍କୁଲ ପିଲାଙ୍କୁ ମାସ୍କ୍ ବାଣ୍ଟିଲେ ଅରବିନ୍ଦ କେଜ୍ରିୱାଲ୍
ନୂଆଦିଲ୍ଲୀ: ସହରରେ ପ୍ରଦୂଷଣ ମାତ୍ରା ବଢ଼ବାରୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସ୍କୁଲ୍ ପିଲାମାନଙ୍କୁ ମାସ୍କ ବା ମୁଖା ବଣ୍ଟନ କରିଛନ୍ତି । ପାଖ ରାଜ୍ୟଗୁଡ଼ିକରେ ଶସ୍ୟକ୍ଷେତର ନଡ଼ା ପୋଡ଼ାଯାଉଥିବା କାରଣରୁ ଜାତୀୟ ରାଜଧାନୀ ଅଞ୍ଚଳକୁ ଧୂଆଁ ଆସି ବାୟୁମଣ୍ଡଳ ପ୍ରଦୂଷଣ କରିପକାଉଛି । ଏ ବର୍ଷ ନଡ଼ା ପୋଡ଼ା ଦୁଇଗୁଣ ହୋଇଥିବା କୁହାଯାଉଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଣନିଃଶ୍ୱାସୀ ହୋଇପଡ଼ିଥିବା ଦିଲ୍ଲୀବାସୀଙ୍କୁ ୫୦ ଲକ୍ଷରୁ ଅଧିକ ଏନ୍ ୯୫ ମୁଖା ବଣ୍ଟନ ସଂକ୍ରାନ୍ତରେ ଟୁଇଟ୍ କରିଛନ୍ତି । ଟୁଇଟରରେ ସେ ଲେଖିଛନ୍ତି: ପଡ଼ୋଶୀ ରାଜ୍ୟଗୁଡ଼ିକରେ ଶସ୍ୟ ନଡ଼ା ପୋଡ଼ାରୁ ଆସୁଥିବା ଧୂଆଁ ଯୋଗୁଁ ଦିଲ୍ଲୀ ଗ୍ୟାସ୍ ଚାମ୍ବର୍ ପାଲଟି ଯାଇଛି । ଏଇ ବିଷାକ୍ତ ପବନରୁ ତ୍ରାହି ପାଇବା ବଡ଼ କଥା । ବେସରକାରୀ ଏବଂ ସରକାରୀ ସ୍କୁଲମାନଙ୍କରେ ଆମେ ୫୦ ଲକ୍ଷ ମୁଖା ବଣ୍ଟନ ଆରମ୍ଭ କରିଛୁ । ଆବଶ୍ୟକ ବେଳେ ଏହାକୁ ବ୍ୟବହାର କରିବାକୁ ମୁଁ ସମସ୍ତ ଦିଲ୍ଲୀବାସୀଙ୍କୁ ନିବେଦନ କରୁଛି । ନାକ ଓ ପାଟି ଆବୃତ କରୁଥିବା ଏନ୍୯୫ ମୁଖା ବାୟୁରୁ ୯୫% ଯାଏଁ ପ୍ରଦୂଷଣ ଉପାଦାନ ଛାଣି ପାରିବ ।


