ଦି ସ୍କୁଲ୍ ଅଫ୍ ରାଗ ସଙ୍ଗୀତର ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଭଞ୍ଜକଳା ମଣ୍ଡପଠାରେ ଦି ସ୍କୁଲ୍ ଅଫ୍ ରାଗ ସଙ୍ଗୀତର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ବରିଷ୍ଠ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀମତୀ ସୁସ୍ମିତା ଦାସ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସନତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ରାଜ୍ୟ ଓ ଜାତୀୟସ୍ତରରେ ସଙ୍ଗୀତ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଆକାଶବାଣୀ କଟକରେ ଶିଶୁ କଳାକାର ମାନ୍ୟତା ସହ କରିଥିବା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚସଭା କାର୍ଯ୍ୟକ୍ରମ ପରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯାହା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଦି ସ୍କୁଲ୍ ଅଫ ରାଗ, ସଙ୍ଗୀତ, ଭୁବନେଶ୍ୱର ବିବେକାନନ୍ଦ ମାର୍ଗଠାରେ ଅବସ୍ଥାପିତ ଯାହା ଦୀର୍ଘବର୍ଷ ଧରି ଛାତ୍ରଛାତ୍ରୀମାନଙ୍କୁ ସଙ୍ଗୀତ, ନୃତ୍ୟ ଚିତ୍ରକଳା ଏବଂ ବାଦ୍ୟଯନ୍ତ୍ର ଶିକ୍ଷା ପ୍ରଦାନ କରି ଆସୁଛି । ଅଭିଜ୍ଞ ପ୍ରଶିକ୍ଷକ ତତ୍ତ୍ୱାବଧାନରେ ଏହି ଅନୁଷ୍ଠାନରୁ ପ୍ରଶିକ୍ଷଣ ନେଇ ଛାତ୍ରଛାତ୍ରୀମାନେ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ସୁନାମ ଅର୍ଜନ କରିଛନ୍ତି ।


