ଦୀଘା ମନ୍ଦିର ବିବାଦ : ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ
ଭୁବନେଶ୍ୱର,(ସମୀର ରଞ୍ଜନ ନାୟକ): ଦିଘା ଜଗନ୍ନାଥ ମନ୍ଦିର ବିବାଦରେ ଜଡ଼ିତ ହୋଇ ପଡ଼ିଥିବା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ ହୋଇଛନ୍ତି । ବଳକା ଦାରୁରେ ଦିଘା ମନ୍ଦିର ଜଗନ୍ନାଥ ବିଗ୍ରହ ନିର୍ମାଣ ନେଇ ଦ୍ବନ୍ଦ୍ବାତ୍ମକ ଏବଂ ବିବାଦୀୟ ବୟାନ ଦେଇ ଥିବା ରାମକୃଷ୍ଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୈଫିୟତ ମଗା ଯାଇଥିଲା । ଆଜି ତାଙ୍କୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଥିବା ସୂଚନା ଦିଆଯାଇଛି ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି । ଗର୍ବ ଓ ଅହଂକାର- ବିବର୍ଜିତ ହୋଇ, ଶ୍ରୀମନ୍ଦିର ପରମ୍ପରା, ଗରିମା ତଥା ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଏହା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆମ ସମର୍ପଣ ଭାବର ନିଦର୍ଶନ ହେବା ଆବଶ୍ୟକ । ଆଗାମୀ ଦିନରେ ମଧ୍ୟ କୌଣସି ପ୍ରକାର ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ।