ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) : ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କାର୍ଯ୍ୟକ୍ରମ ଅଧିନରେ ଗ୍ରାମାଂଚଳର ୧୮ ରୁ ୩୫ ବର୍ଷ ର ବେକାର ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ଓ ଚୟନ ପାଇଁ କ୍ଲଷ୍ଟର ସ୍ତରୀୟ ଶିବିର । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ନରେନ୍ଦ୍ରପୁର ସରପଂଚ ବାବୁଲା କୁମାର ବେହେରାଙ୍କ ସମେତ ବହୁ ୱାର୍ଡ ସଭ୍ୟ ଯୋଗ ଦେଇଥିଲେ । ଏଥିରେ ନରେନ୍ଦ୍ରପୁର, ଲକ୍ଷ୍ମୀପୁର, ଚମାଖଣ୍ଡି, ସୁନ୍ଦରପୁର ଓ ଟାଙ୍ଗଣାପଲ୍ଲୀ ପଂଚାୟତର ୭୮ ଜଣ ଯୁବକ ଯୁବତୀ ଆବେଦନ କରିଥିଲେ । ଏହି ଶିବିରକୁ ଓଡିଶା ଜୀବିକା ମିଶନ୍ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଓ ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ସନାତନ ସାହୁ ସଂଯୋଜନା କରିଥିବା ବେଳେ ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ଏବଂ ବହୁ ସ୍ଥାନୀୟ ଜନସାଧାରଣ ପରିଚାଳନାରେ ସହଯୋଗ କରିଥିଲେ ।