ଦୀପ ଜଳାଉଛନ୍ତି କି!
ଦୀପ ଜ୍ୟୋତି ପରଂବ୍ରହ୍ମ ସ୍ୱରୂପ, ଦୀପଜ୍ୟୋତି ପାପନାଶକାରୀ । ମହାଶିବରାତ୍ରି ଅବସରରେ ଦୀପ ଜଳାଇବାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ମନ୍ଦିର ଚୂଡାକୁ ମହାଦୀପ ଉଠିବା ସହିତ ମହାଶିବରାତ୍ରି ବ୍ରତର ପରିସମାପ୍ତି ହୋଇଥାଏ । ଅନେକେ ମଧ୍ୟ ରାତ୍ରି ଉଜାଗର ରହି ଦୀପ ଜଳାଇଥାନ୍ତି । ଜୀବନରେ ଦୀପ ଜଳାଇବାର ମଧ୍ୟ ବିଶେଷ ପ୍ରଭାବ ରହିଛି । ଶାସ୍ତ୍ର ଅନୁସାରେ ଦୀପ ଜଳାଇବାର କେତେକ ଉପାୟ
ଘିଅ ଦୀପ ଜଳାଇଲେ ପରିବାରର ସୁଖ ସମୃଦ୍ଧି ଆସିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ।
ରାଶି ତେଲରେ ଜଳାଯାଉଥିବା ଦୀପ ରୋଗ ହରଣ କରିଥାଏ ।
ଜଡାତେଲରେ ଦୀପ ଜଳାଇବା ଦାମ୍ପତ୍ୟ ଜୀବନକୁ ସୁଖ ରଖେ ।
ତୁଳା ବତିରେ ଦୀପ ଜଳାଇବା ଶୁଭ ଫଳ ଦେଇଥାଏ ।
ପଦ୍ମନାଡ଼ର ତନ୍ତୁରେ ବତି ପ୍ରସ୍ତୁତ କରି ଦୀପ ଜଳାଇଲେ ପୂର୍ବ ପୁରୁଷମାନେ କରିଥିବା ପାପ ବିନାଶ ହୋଇଥାଏ ।
ସେହିପରି କଦଳୀ ପଟୁକାର ସୂତାରେ ଦୀପ ଜଳାଇବା ଦ୍ୱାରା ପିତୃଶାପରୁ ମୁକ୍ତି ମିଳେ, ସନ୍ତାନ ଯୋଗ୍ୟ ହୁଅନ୍ତି ଏବଂ ସୁଖ ଶାନ୍ତି ପ୍ରାପ୍ତ ହୁଏ ।
ନୂଆ ହଳଦିଆ ଶାଢ଼ିକୁ ଚିରି ବତି ପ୍ରସ୍ତୁତ କରି ଦୀପ ଜଳାଇଲେ ଶିବ ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତି ହୁଏ ଏବଂ ରୋଗ ଦୂର ହୋଇଥାଏ ।
ନାଲି ଶାଢ଼ିରୁ ବତି କରି ଦୀପ ଜଳାଇଲେ ବାହାଘରରେ ହେଉଥିବା ବାଧା ଦୂର ହୁଏ ଏବଂ ସନ୍ତାନ ଜନିତ ସମସ୍ୟାର ସମାଧାନ ହୋଇ ସୁଖ ମିଳେ ।
ଧଳା କପଡ଼ାକୁ ଗୋଲାପ ଜଳରେ ଭିଜାଇବା ପରେ ଶୁଖାଇ ବତି ଜଳାଇଲେ ସୁଖ ସମୃଦ୍ଧି ବଢ଼େ ।
ନଡ଼ିଆ ତେଲ, ଘିଅ ଜଡ଼ା ତେଲ, ନିମ ତେଲରେ ୪୭ ଦିନ ପର୍ଯ୍ୟନ୍ତ ଦୀପ ଜଳାଇ ଦେବୀଙ୍କୁ ପୂଜା କଲେ ଦେବୀଙ୍କ ଆଶାବାଦ ମିଳିଥାଏ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଢ଼େ ।
ଭୋର ୩ଟା ରୁ ୫ଟା ପର୍ଯ୍ୟନ୍ତ ଦୀପ ଜଳାଇଲେ ପରିବାରର କଲ୍ୟାଣ ଏବଂ ସମୃଦ୍ଧି ହୋଇଥାଏ ।
ଚାକିରି ବିବାହ ତଥା ସନ୍ତାନ ଇଚ୍ଛା କରୁଥିଲେ ଏବଂ ଘରେ ସୁଖ ଶାନ୍ତି କାମନା କରୁଥିଲେ ଗୋଧୂଳି ବେଳାରେ ଦୀପ ଲଗାନ୍ତୁ ।
ଗୋଟିଏ ଦୀପ ଲଗାଇଲେ ଆଶୀର୍ବାଦ ମିଳେ । ଦୁଇଟି ଦୀପ ଲଗାଇବା ଦ୍ୱାରା ପରିବାରର ଏକତା ବଢ଼ିଥାଏ । ତିନୋଟି ଦୀପ ଲଗାଇଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ । ଚାରୋଟି ଦୀପ ଜଳାଇବା ଦ୍ୱାରା ଭୂ ସମ୍ପତ୍ତି ଏବଂ ପଶୁଧନ ବୃଦ୍ଧି ହୁଏ । ପାଞ୍ଚଟି ଦୀପ ଏକାଠି ଲଗାଇଲେ ଧନପ୍ରାପ୍ତି ହେବା ସହ ସର୍ବମଙ୍ଗଳ ହୋଇଥାଏ ଏବଂ ପଞ୍ଚ ଦେବତାଙ୍କର ଆଶୀର୍ବାଦ ମିଳେ ।


