ଦୀପ ନିଆଁରୁ ଅଗ୍ନିକାଣ୍ଡ : ପୁଅ ମୃତ, ମା ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ଡ଼ମ୍ବାଳ ପଞ୍ଚାୟତର ମଣ୍ଡଳସାହି ଗ୍ରାମରେ ଜଣକଙ୍କ ଘରେ ବୁଧବାର ଅଗ୍ନିକାଣ୍ଡ ଘଟି ଘର ଭସ୍ମୀଭୂତ ହୋଇଥିବା ବେଳେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଭାବେ ଚିକିତ୍ସିତ ହେଉଥିବାର ଜଣାପଡିଛି l ସାନପୁଅ ବଳରାମ ଗୁରୁତର ଭାବେ ପୋଡି ହୋଇ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର ବେଳେ ଟାଙ୍ଗୀ ନିକଟରେ ପ୍ରାଣହରାଇଥିବାର ସୂଚନା ମିଳିଛି l ଘଟଣାରୁ ପ୍ରକାଶ ଯେ, ଦୁର୍ଲ୍ଲଭ ମଣ୍ଡଳଙ୍କ ପରିବାରରେ ଜଣେ ଶିଶୁ ସମେତ ସାତଜଣ ରହୁଥିବା ସହ ସକାଳୁ ସମସ୍ତେ ଶୋଇରହିଥିବା ବେଳେ ପତ୍ନୀ କ୍ଷିରମଣୀ ମଣ୍ଡଳ ପୂଜା ଘରେ ଠାକୁରଙ୍କୁ ଦୀପ ଦେଇ ନିଜ ଘର କାମରେ ବ୍ୟସ୍ତ ରହିଥିଲେ l ହେଲେ କୌଣସି କାରଣରୁ ଏହି ଦୀପରୁ ହଠାତ ଘରେ ନିଆଁ ଲାଗିଯାଇଥିବା ଦେଖି ଅନ୍ୟମାନଙ୍କୁ ଉଠାଇଥିଲେ l ଇତିମଧ୍ୟରେ ସାନପୁଅ ବଳରାମ ମଣ୍ଡଳ(୩୮)ଙ୍କ ଦେହରେ ନିଆଁ ଲାଗିଯାଇଥିବା ଦେଖି ପାଟି କରିବାରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବା ସହ ଗୁରୁତର ବଳରାମଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟକୁ ନେଇଥିଲେ l ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ କ୍ଷିରମଣୀ ମଣ୍ଡଳଙ୍କ ହାତ ଗୋଡ଼ ପୋଡ଼ି ଯାଇଥିବା ଜଣାପଡିଛି l ଖବର ପାଇ ରାୟଗଡ ଥାନାଧିକାରୀ ଗୋବିନ୍ଦ ଗୌଡ଼ ସଦଳବଳେ ପହଂଚିଥିବା ସହ ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ , ସରପଞ୍ଚ ବିଶ୍ଵନାଥ ଶବର , ରଜସ୍ୱ ନିରୀକ୍ଷକ, ପିଇଓ ସନ୍ତୋଷ କୁମାର ପଟନାୟକ ପ୍ରମୁଖ ପହଞ୍ଚି ଆଶୁ ସହାୟତା ଯୋଗାଇଦେଇଥିଲେ l ତେବେ ଦମକଳ ବାହିନୀ ବହୁ ବିଳମ୍ବରେ ପହଞ୍ଚିବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା l