ଦୀର୍ଘ ଦିନ ପରେ ସାବିତ୍ରୀଙ୍କ ଦୁଃଖ ବୁଝିଲା ପ୍ରଶାସନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଦୀର୍ଘ ଦିନ ପରେ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଜେନା ସାହି ଗ୍ରାମର ସ୍ୱାମୀ ପରିତ୍ୟକ୍ତା ସାବିତ୍ରୀ ଜେନା(୫୪)ଙ୍କ ଦୁଃଖ ପ୍ରଶାସନ ବୁଝିଥିବା ଜଣାଯାଇଛି । ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ସାବିତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ୫ ମାସର ଭତ୍ତା ମିଳିଛି । ସରପଞ୍ଚ ରଂଜନ କୁମାର ସାହୁ ନିଜେ ସାବିତ୍ରୀଙ୍କ ଘରକୁ ଯାଇ ୫ ମାସର ଭତ୍ତା ପ୍ରଦାନ କରିଥିବା ଜଣାଯାଇଛି । ଭତ୍ତା ପ୍ରଦାନ ବେଳେ କ୍ଲଷ୍ଟର ପି.ଏ.ଜିି ହୃଦାନନ୍ଦ ପାଢୀ, ବିମ୍ବାଧର ଜେନା, ଅଶୋକ କୁମାର ବେହେରା, ରବିନ୍ଦ୍ର ଜେନା, ହୃଷିକେଶ ଜେନା ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗତ ୧୦ ବର୍ଷ ପୂର୍ବେ ସ୍ୱାମୀ ଛାଡି ଚାଲି ଯିବା ପରେ ସାବିତ୍ରୀଙ୍କର ନିଜର ବୋଲି କେହି ନାହାନ୍ତି । ପର ଘରେ ଗୁହାଳ ପୋଛି ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବା ବେଳେ ସରକାରୀ ଭତ୍ତାରୁ ବଞ୍ôଚତ ହୋଇଥିଲେ । ନାମକୁ ମାତ୍ର ସରକାରୀ ଭାବେ ଚାଉଳ ମୁଠାଏ ପାଉଥିଲେ । ତାହା ତାଙ୍କ ଚଳିବା ପାଇଁ ନିଅଣ୍ଟ ହେଉଥିଲା । ଏସଂପର୍କରେ ବହୁବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ବହୁ ପ୍ରତୀକ୍ଷା ପରେ ଏବେ ପ୍ରଶାସନ ପକ୍ଷରୁ ତାଙ୍କୁ ଭତ୍ତା ଯୋଗାଇ ଦିଆଯାଇଥିବାରୁ ସାବିତ୍ରୀ ବେଶ ଖୁସି ହୋଇଛନ୍ତି ।


