ଦୀର୍ଘ ୧୪ ଦିନର ସାଇକେଲ ଯାତ୍ରା ପରେ…….୩ ଶ୍ରମିକ ମୁହଁରେ ହସ
ବୁଗୁଡା,(ଅନିଲ କୁମାର ମହାରଣା):ଦୀର୍ଘ ୧୪ ଦିନ ସାଇକେଲ ଚଳାଇ ୧୫ ଦିନରେ ପହଁଞ୍ଚିଲେ ନିଜ ଗ୍ରାମରେ। ଗ୍ରାମରେ ପହଁଞ୍ଚିଲା ପରେ ସେହି ୧୪ ଦିନର ଦୁଃଖକୁ ଭୁଲି ଯାଇ ମୁହଁରେ ଫୁଟିଛି ହସ।
ଏମାନେ ହେଲେ ବୁଗୁଡା ବ୍ଲକର ବିଷ୍ଣୁଚକ୍ର ଗ୍ରାମର ଜଣେ ଏବଂ ପୋଲସରା ବ୍ଲକର ଢୁଙ୍କାପଡ଼ା ଗ୍ରାମର ଜଣେ ଓ ବାଲିଛାଇ ଗ୍ରାମର ଜଣେ। ଏହି ତିନି ଜଣ ଶ୍ରମିକ ଗତ ଏପ୍ରିଲ ୧୪ ତାରିଖ ଦିନ ସାଇକେଲରେ ଗୁଜରାଟ ରାଜ୍ୟର ସୁରାଟ ସହରର ଡାଇମଣ୍ଡ ନଗରରୁ ରାତ୍ର ୯.୩୦ ରୁ ବାହାରି ମହାରାଷ୍ଟ୍ର ସୀମା ଓ ଛତିଶଗଡ଼ ଦେଇ ଓଡ଼ିଶା ସୀମାରେ ପହଞ୍ଚିଥିଲେ। ଓଡ଼ିଶା ସୀମାରେ ସେମାନଙ୍କୁ ସ୍କାନିଂ କରାଗଲା ପରେ ପ୍ରାୟ ଦୀର୍ଘ ୧୮୦୦ କିମି ରାସ୍ତା ଅତିକ୍ରମ କରି ୨୮ ତାରିଖ ମଙ୍ଗଳବାର ଦିନ ଅପରାହ୍ନ ୪.୩୦ରେ ପହଞ୍ଚିଥିଲେ ବିଷ୍ଣୁଚକ୍ର ଗ୍ରାମରେ। ବିଷ୍ଣୁଚକ୍ର ରେ ସେହି ଗ୍ରାମର ୩୦ ବର୍ଷ ବୟସର ଶ୍ରମିକ ପିଣ୍ଟୁ ସ୍ଵାଇଁ ଓରଫ ଦୁର୍ଯ୍ୟୋଧନ ରହିଥିବା ବେଳେ ଅନ୍ୟ ଦୁଇ ଶ୍ରମିକ ଯାଇଥିଲେ ନିଜ ଗ୍ରାମ ପୋଲସରା ବ୍ଲକର ଢୁଙ୍କାପଡ଼ା ଓ ବାଲିଛାଇ । ନିଜଗ୍ରାମ ବିଷ୍ଣୁଚକ୍ରରେ ପହଞ୍ଚିଲା ପରେ ୧୪ ଦିନର ସମସ୍ତ ଦୁଃଖ ବେଦନାକୁ ପଛରେ ପକାଇ ହସ ଫୁଟିଥିଲା ପିଣ୍ଟୁଙ୍କ ମୁହଁରେ। ଗ୍ରାମରେ ପହଁଞ୍ଚିଲା ପରେ ଗ୍ରାମର ଶିକ୍ଷକ ନାରାୟଣ ମହାନ୍ତି ଓ ଅନ୍ୟମାନଙ୍କ ସହଯୋଗ କ୍ରମେ ବିଡ଼ିଓ ତନ୍ମୟ ପାତ୍ର ଓ ସରପଞ୍ଚ ବିଜୁଳି ଜେନା ସହ ଆଲୋଚନା ପରେ ବିଷ୍ଣୁଚକ୍ର ଗ୍ରାମ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ସଙ୍ଗରୋଧରେ ରହିଲେ ଶ୍ରମିକ ପିଣ୍ଟୁ ସ୍ଵାଇଁ ।