ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଡ୍ରାଇଭରଙ୍କ ମୃତ୍ୟୁ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଂଚଳରେ ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ, ବାମେବାରୀ ଥାନା ଅନ୍ତର୍ଗତ ହେଁସାବେଡା ଠାରେ ବୁଧବାର ସକାଳ ୬ ଘଟିକା ସମୟରେ ହାଇୱା ଟ୍ରକ୍ ନମ୍ବର ( ଓଡି ୩୫ବି ୧୫୨୩) ନିକଟସ୍ଥ ଏକ ଖଣିରୁ ବୋଝେଇ କରି ଆସୁଥିବା ବେଳେ ଏକ ପଥରରେ ଧକ୍କା ହୋଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ହାଇୱା ଡ୍ରାଇଭର ରାମଚନ୍ଦ୍ର ନାଏକ(୪୨)ଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ରାମଚନ୍ଦ୍ରଙ୍କର ଘର ଝାଡଖଣ୍ଡ ରାଜ୍ୟ ଜଟିଆ ଥାନା ଅନ୍ତର୍ଗତ କଟଗଡ ଗ୍ରାମରେ ବୋଲି ଜଣା ପଡିଛି । ଏନେଇ ବାମେବାରୀ ଥାନାରେ କେସ୍ ନଂ-୧୪୪/୨୦୨୦ ରୁଜୁ କରାଯାଇ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେହିପରି ଏହି ଥାନା ଅନ୍ତର୍ଗତ ଚଡକମରା ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡମ୍ପର ଧକ୍କାରେ ହାଇୱା ଡ୍ରାଇଭର ସୁକାନ୍ତ ବେହେରା(୪୧)ଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ଘର ଚମ୍ପୁଆ ଥାନା ଅନ୍ତର୍ଗତ କାଂଜିଆଶୁଳା ଗ୍ରାମର ବୋଲି ଜଣାପଡିଛି । ମଙ୍ଗଳବାର ବିଳମ୍ବିତ ରାତିରେ ହାଇୱା ଟ୍ରକ ନଂ(ଓଡି ୦୯ ଜି ୭୪୪୪) ନୟାଗଡ ଅଂଚଳରୁ ବାମେବାରି ଅଭିମୁଖେ ଆସୁଥିବା ବେଳେ ଚଡକମରା ଛକ ନିକଟରେ ବିପରୀତ ଦିଗରୁ ଯାଉଥିବା ଡମ୍ପର ନମ୍ବର (ଓଆର ୧୪ ଏସ୍ ୩୫୮୩) ସହିତ ଧକ୍କା ହୋଇଥିଲା । ବାମେବାରୀ ପୋଲିସ୍ ଏକ ମାମଲା ନଂ-୧୪୩/୨୦୨୦ ରୁଜୁ କରି ତଦନ୍ତ ଚଳାଇଥିବା ପୋଲିସ୍ ସୂଚନା ଦେଇଛି ।


