ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଶକ୍ତି ଏବଂ ଅର୍ଥନୀତି ଭଳି ପ୍ରମୁଖ କ୍ଷେତ୍ରରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ଼ କରିବା ଲକ୍ଷ୍ୟ ନେଇ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ସାଉଦୀ ଆରବ ଗସ୍ତରେ ଯାଉଛନ୍ତି । ସାଉଦୀ ରାଜା ସଲମନ୍ ବିନ୍ ଅବ୍ଦୁଲାଜିଜ୍ ଅଲ୍ ସାଉଦ୍ଙ୍କ ଆମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ ସେ ଦେଶକୁ ଯାଉଥିବା ଜଣାପଡ଼ିଛି । ଦୁଇଦିନିଆ ଗସ୍ତକାଳରେ ସାଉଦୀ ଯୁବରାଜ ମହମ୍ମଦ୍ ବିନ୍ ସଲମାନ୍ଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ଏବଂ ସେ ଦେଶରେ “ରୁପେ’ର ପ୍ରଚଳନ କରାଇବେ । ରିୟାଦ୍ ଠାରେ “ଫ୍ୟୁଚର୍ ଇନଭେଷ୍ଟମେଣ୍ଟ୍ ଇନିସିଏଟିଭ୍’ ମଞ୍ଚର ତୃତୀୟ ଅଧିବେଶନରେ ସେ ଅଭିଭାଷଣ ପ୍ରଦାନ କରିବେ । ସୋମବାର ରାତିରେ ପ୍ରଧାନମନ୍ତ୍ରୀ ରିୟାଦରେ ପହଞ୍ଚିବେ । ପରଦିନ କେତେକ ସାଉଦୀ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ଯାଇଥିବା କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ “ଏଫ୍ଆଇଆଇ’ର ସର୍ବଦଳୀୟ ଅଧିବେଶନରେ ମଧ୍ୟ ଯୋଗ ଦେବେ । ସେଦିନ ରାତିରେ ହିଁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଲେଉଟି ଆସିବେ ।