ଦୁଇଦିନ ପରେ ଗଣେଶ ପୂଜା : ବିକ୍ରି ହେଉନି ମୂର୍ତ୍ତି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଶନିବାର ଗଣେଶ ପୂଜା। ବଜାରରେ ବିକ୍ରି ହେଉନି ମୂର୍ତ୍ତି। ପଚାଶ ଟଙ୍କାରୁ ଆରମ୍ଭ କରି ଚାରି ହଜାର ଟଙ୍କାର ମୂର୍ତ୍ତି ଗଢି ପସରା ମେଲେଇ ରାଜରାସ୍ତାରେ କାରିଗର। ମାସକ ତଳୁ ଦିହରୁ ଝାଳ ନିଗାଡି ଏକମନ ଏକପ୍ରାଣ ହୋଇ ଗଢିଥିଲା ମୂର୍ତ୍ତି ଗଣେଶ ପୂଜା ବେଳେ ମୂର୍ତ୍ତିଗୁଡ଼ିକ ବିକି ଦି ପଇସା ରୋଜଗାର କରିବ। ହେଲେ ଦଇବ ସହିଲା ନାହିଁ । ଗଣେଶ ପୂଜାକୁ ନେଇ କୋଭିଡ କଟକଣା ଜାରି କରାଯାଇଛି। ସ୍କୁଲ କ୍ଲବ ସାହି ବସ୍ତିର କେହି ଜଣେ ବି ମୂର୍ତ୍ତି କିଣିବାକୁ ଆସୁନାହାନ୍ତି। ଏତେ ଗୁଡ଼ିଏ ମୂର୍ତ୍ତି କଣ କରିବି ବୋଲି କହନ୍ତି କାରିଗର ଓ ବିକ୍ରେତା ପ୍ରକାଶ ଚନ୍ଦ୍ର ପାଳ । ନିଜେ ଯାହା ପରିଶ୍ରମ କଲି ତ କଲି ବଜାରରୁ କିଣିଥିବା ରଙ୍ଗ ଦାମ ବି ଉଠେଇ ପାରିବିନି। ବାହାରେ ମୂଲ ମଜୁରୀ ଲାଗିବା ଅପେକ୍ଷା ନିଜେ ପରିଶ୍ରମ କରି ମୂର୍ତ୍ତି ଗଢି ରୋଜଗାର କରି ଆସୁଥିଲି। କୋଡ଼ିଏ ବର୍ଷ ଧରି ଖୁଦୁରୁକୁଣୀ, ଦୁର୍ଗା, କାର୍ତ୍ତିକେଶ୍ଵର, ଗଣେଶ, ସରସ୍ଵତୀଙ୍କର ମୂର୍ତ୍ତି ଗଢିଆସୁଛି। ଏହା ହିଁ ମୋର ବେଉସା ଥିଲା। ଆମ ଭଳି ଗରିବ ଲୋକଙ୍କ ଅଣ୍ଟାକୁ କରୋନା ଭାଙ୍ଗି ସାରିଲେଣି ବୋଲି ମନ ଦୁଃଖରେ ଶ୍ରୀ ପାଳ କହିଛନ୍ତି।