ଦୁଇବର୍ଷରେ ବି ସରୁନି ଶୌଚାଳୟର ନବୀକରଣ : ଦୁଇ ପାଇଁ ୧ନଂରୁ ଯିବାକୁ ପଡୁଛି ୨ ନମ୍ବର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜକୁ ପାଖାପାଖି ୨ ବର୍ଷ ହେଲା ଶୌଚାଳୟର ନବୀକରଣ କାର୍ଯ୍ୟ ଚାଲିଛି, କାମ ସରୁନି । ୨ ବର୍ଷ ଭିତରେ ଗୋଟିଏ ଗୋଟିଏ ବହୁତଳ ପ୍ରାସାଦ ନିର୍ମାଣ ଲୋକେ ଦେଖୁଥିବା ବେଳେ ଗୋଟିଏ ଶୌଚାଳୟର ନବୀକରଣ ପାଇଁ ୨ ବର୍ଷରୁ ଅଧିକ ସମୟ ଲାଗିଲାଣି । ଯାହା ସାଧାରଣଙ୍କ ମନରେ ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ହେଉଛି ସ୍ମାର୍ଟନଗରୀ ଭୁବନେଶ୍ୱରର ଛାତି ଉପରେ ଥିବା ରାଜଧାନୀର ସର୍ବବୃତ୍ ୧ନଂ ହାଟ ପରିସର ମଧ୍ୟରେ ଥିବା ଶୌଚାଳୟର କଥା । ଶୌଚାଳୟଟି ଭୁବନେଶ୍ୱର ପୌରନିଗମ ଦ୍ୱାରା ପରିଚାଳିତ । ଉକ୍ତ ଶୌଚାଳୟ ଉପରେ ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ୱ ବ୍ୟବସାୟୀ ନିର୍ଭର କରିଥାନ୍ତି । ସାଧାରଣତଃ ବ୍ୟବସାୟୀମାନେ ବ୍ୟବସାୟ କରିବା ପାଇଁ ଘରୁ ଖାଇପିଇ ସକାଳୁ ବାହାରିଥାନ୍ତି । ବିଳମ୍ବିତ ରାତ୍ରିରେ ବ୍ୟବସାୟ ସାରି ଘରକୁ ଫେରିଥାନ୍ତି । ଉକ୍ତ ସମୟ ବ୍ୟବଧାନ ମଧ୍ୟରେ ଅନେକ ମଳତ୍ୟାଗ କରିବା ପାଇଁ ଶୌଚାଳୟ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଶୌଚାଳୟଟି କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକେ ବାଧ୍ୟ ହୋଇ ୧ ନମ୍ବରରୁ ୟୁନିଟ୍‌-୨ରେ ଥିବା ଶୌଚାଳୟକୁ ଯାଇଥାନ୍ତି । ନିକଟରେ ଜଣେ ବ୍ୟବସାୟୀ ଝାଡା ରୋକି ନପାରି ନିଜ ଶରୀର ଉପରେ ଝାଡା କରି ଧାଇଁ ଧାଇଁ ପହହଂଚି ଥିଲେ ୟୁନିଟ୍‌-୨ସ୍ଥିତ ଶୌଚାଳୟରେ । ଏହିଭଳି ଅଭାବନୀୟ ଓ କରୁଣ ଦୃଶ୍ୟ ପ୍ରତ୍ୟେହ ଦେଖିବାକୁ ମିଳୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଏଥିପ୍ରତି ସାମାନ୍ୟ ଦୃଷ୍ଟି ନାହିଁ । ମହାମାରୀ କରୋନା ଆରମ୍ଭରୁ ଏପର୍ଯ୍ୟନ୍ତ ଶୌଚାଳୟର କାମ ଚାଲିଛି । ୨ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା କାମ ସରିପାରୁନି ବୋଲି ବ୍ୟବସାୟୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଅନେକ ପାଖାପାଖି ଗଳିକନ୍ଦିରେ ଥିବା ଡ୍ରେନ୍ ଭିତରେ ପଶି ମଳତ୍ୟାଗ କରି ବୋତଲ ପାଣିରେ ଶୌଚ ସାରିବାକୁ ବାଧ୍ୟ ହୋଇଥାନ୍ତି । ଯଦ୍ୱାରା ଆଖପାଖ ଅଞ୍ଚଳ ପୁତିଗନ୍ଧମୟ ହେବା ସହ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଆଉ ଏକ ମହାମାରୀକୁ ଆମନ୍ତ୍ରଣ କରୁଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ । ଉକ୍ତ ଶୌଚାଳୟଟିର ନବୀକରଣ କାର୍ଯ୍ୟ ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରି ତୁରନ୍ତ ସେବା ଯୋଗାଇ ଦେବା ପାଇଁ ଶ୍ରୀ ସାହୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ