ଦୁଇ କଲେଜକୁ ବିଧାୟକ ଓ ଉପଜିଲ୍ଲାପାଳଙ୍କ ପରିଦର୍ଶନ
ବୁଗୁଡା, (ଅନିଲ କୁମାରମହାରଣା):ବୁଗୁଡା ବ୍ଲକର ବୁଗୁଡା ପିପୁଲସ କଲେଜ ଓ ବାଲିପଦର ଆଞ୍ଚଳିକ ମହାବିଦ୍ୟାଳୟକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଭଞ୍ଜନଗର ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମିଞ୍ଜ ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଜୁଲାଇ ୧୫ ତାରିଖ ଦିନ ପରିଦର୍ଶନ କରିଥିବା ଜଣାପଡ଼ିଛି। ପ୍ରଥମେ ବାଲିପଦର କଲେଜକୁ ବିଧାୟକ ଶ୍ରୀ ସାହୁ, ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଓ ତହସିଲଦାର ଶ୍ରୀ ଜେନା ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ପରେ + ୨ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଓ +୩ ଅଧ୍ୟକ୍ଷ ଡକ୍ଟର ବିବେକାନନ୍ଦ ପଟ୍ଟନାୟକଙ୍କ ସହ ଛାତ୍ରଛାତ୍ରୀଙ୍କ ପାନୀୟ ଜଳଯୋଗାଣ ସମସ୍ୟା, ସାଇକେଲ ଷ୍ଟାଣ୍ଡ, ପାଚେରୀ ନିର୍ମାଣ ଓ ଶ୍ରେଣୀଗୃହ ନିର୍ମାଣ ବିଷୟ ନେଇ ଆଲୋଚନା କରିଥିଲେ। ବାଲିପଦର କଲେଜ ପରିସରରେ ବିଧାୟକ ଓ ଉପଜିଲ୍ଲାପାଳ ବୃକ୍ଷ ରୋପଣ କରି ଶୁଭାରମ୍ଭ କରିଥିଲେ। ସେଠାରୁ ବୁଗୁଡା ପିପୁଲସ କଲେଜ କୁ ବିଧାୟକ ଶ୍ରୀ ସାହୁ, ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଓ ତହସିଲଦାର ଶ୍ରୀ ଜେନା ପରିଦର୍ଶନରେ ଯାଇ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ଅଧ୍ୟକ୍ଷ ରଜନୀକାନ୍ତ ଦାଶ ଓ ଅଧ୍ୟାପକ ମାନଙ୍କସହ ଆଲୋଚନା କରିଥିଲେ। କଲେଜର ଦୁଇଟି ଶ୍ରେଣୀଗୃହ ଓ ପାଚେରୀ ନିର୍ମାଣ ପାଇଁ ସ୍ଥିର କରିବା ସହ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ।

 
            
