ଦୁଇ ଜଣ ରାଜପଥ ଲୁଟେରା ଗିରଫ
ଅନୁଗୋଳ, (ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ପୂର୍ତ୍ତ ବିଭାଗ ରାସ୍ତାର ପଳାଶବଣିଆ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ରାଜପଥ ଲୁଟେରା ଏକ ଟ୍ରକ ଅଟକାଇ ଏହାର ଡ୍ରାଇଭରକୁ ମାଡପିଟ କରିଥିଲେ ଏପରିକି ମରଣାନ୍ତକ ଆକ୍ରମଣ କରି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ।ଏହାସହ ସମ୍ପୃକ୍ତ ଡ୍ରାଇଭରଙ୍କ ଠାରୁ ମଧ୍ୟ ଗାଡି ଚାବି ଛଡାଇ ନେଇ ଟ୍ରକକୁ ବିକ୍ରି କରିବା ପାଇଁ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିବା ସହ ଯୋଜନା କରୁଥିଲେ । ଏ ସମ୍ପର୍କରେ ଘଟଣା ସ୍ଥଳରୁ କୌଶଳ କ୍ରମେ ଟ୍ରକ ଡ୍ରାଇଭର ପରଜଙ୍ଗ ଅଞ୍ଚଳର ଆନନ୍ଦ ଚନ୍ଦ୍ର ପ୍ରଧାନ ଖସି ପଳାଇଯାଇଥିଲା ଏବଂ ସ୍ଥାନୀୟ ଥାନାରେ ଏକ ଲିଖିତ ଏତଲା ଦାୟର କରିଥିଲେ ।ଅଭିଯୋଗ ପାଇ ଛେଣ୍ଡିପଦା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ମଙ୍ଗଳବାର ସକାଳେ ଚଢ଼ାଉ କରିଥିଲେ ।ପଳାଶବଣିଆ ଜଙ୍ଗଲ ମଧ୍ୟରୁ ଚୋରି ଟ୍ରକ ନମ୍ବର ଓଡି ୧୯ ପି ୬୧୬୧କୁ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବାଲିପଟା ଗ୍ରାମର ସୁକଦେବ ମାଳୁଆ (୩୦) ଏବଂ ରଜତ ଖୂଲାର (୨୯)ଙ୍କୁ ଗିରଫ କରାଯାଇଛି ।ଏହାସହ ଏହି ଲୁଟ କାରବାରରେ ବ୍ୟବହୃତ ବାଇକ ନମ୍ବର ଓଡି ୧୯ କେ ୨୯୬୫ ବାଇକ ମଧ୍ୟ ଜବତ କରାଯାଇଛି । ଛେଣ୍ଡିପଦା ଥାନା ସବ ଇନସ୍ପେକ୍ଟର ବି କେ ସ୍ୱାଇ, ଏ ଡବ୍ଲ୍ୟୁ ଖାନ,ପି ସି ଦଳେଇ, ଏ ଏସ ଆଇ ଏସ ପି ଧୀର ପ୍ରମୁଖ ଏହି ଚଢ଼ାଉ କରିଥିଲେ ।ଏ ନେଇ ଥାନା କେସ ନମ୍ବର ୧୦୯/୨୦୧୯ ତାରିଖ ୧୯/୩/୨୦୧୯ ଦଫା ୩୯୪ ଆଇ ପି ସି ଅନୁଯାୟୀ କେସ ଋଜୁ କରାଯାଇଛି ।ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ଜରପଡା ଆଡୁ ଛେଣ୍ଡିପଦା ଅଭିମୁଖେ ଉପରୋକ୍ତ ୧୨ ଚକିଆ ଟ୍ରକ ଯାଉଥିବା ବେଳେ ଦୂବନାଳୀ ଗାଁ ରୁ ବାଲିପଟା ବାଇକ ଯୋଗେ ଏହି ଦୁଇ ଜଣ ଯାକ ଲୁଟେରା ଯାଉଥିବା ସମୟରେ ଟ୍ରକର ସାମନାରେ ବାଇକ ରଖି ଟ୍ରକ ଅଟକାଇଥିଲେ । ଟ୍ରକ ଡ୍ରାଇଭରଙ୍କୁ ମାଡପିଟ କରି ଲୁଟପାଟ କରିଥିଲେ ।ଭୟଭୀତ କରି ଟ୍ରକ ଚାବି ଛଡାଇ ନେଇ ପଳସାବଣିଆ ଜଙ୍ଗଲ ଭିତରକୁ ଗାଡି ନେଇ ଲୁଚାଇ ରଖିଥିଲେ ।ଏହି ଦୁଇ ଜଣ ଅଭିଯୁକ୍ତ ବାଲିପଟା ଗ୍ରାମର ଜଣେ ବ୍ୟବସାୟୀଙ୍କ ପାଖରେ ଗାଡି ଚାଳକ ଏବଂ ଅନ୍ୟ ଜଣେ ସେଲସ୍ ମ୍ୟାନ ଭାବେ କାମ କରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।