ଦୁଇ ଜାଆଁଳା ଶିଶୁ ସହିତ ଦୁର୍ଦ୍ଦିନରେ ଅସହାୟ ବିଧବା ମହିଳା ସହାୟତାର ହାତ ବଢ଼ାଇଲେ ସମାଜସେବୀ

କଳାହାଣ୍ଡି,(ୱାଇଏନ୍ଏସ୍): ଗତ ଫେବ୍ରୁୟାରୀ ସ୍ୱାମୀଙ୍କ ମ୍ରୁତ୍ୟୁ ଘଟିଥିଲା ସେତେବେଳକୁ ସେ ଥିଲେ ଗର୍ଭବତୀ | ସ୍ୱାମୀଙ୍କ ମ୍ରୁତ୍ୟୁ ପରେ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ସେ ଗର୍ଭ କଷ୍ଟ ସାଙ୍ଗକୁ ପତିଙ୍କ ମ୍ରୁତ୍ୟୁ ତାଙ୍କ ଜୀବନରେ ବୋଝ ଉପରେ ନଳିତା ବିଡ଼ା ସଦ୍ରୁଶ ହୋଇଥିଲା | ତଥାପି ମୃତ ପତିଙ୍କ ଶେଷ ସନ୍ତକକୁ ଦୁନିଆ ଦେଖାଇବା ପାଇଁ ସେ ଛାତିକୁ ପଥର କରି ସବୁ ଦୁଃଖ ସହିଯାଇଥିଲେ, ଆଖିର ଲୁହକୁ ପିଇ ଯାଉଥିଲା ଓଠ | ଠିକ୍ ଏଇ ସମୟରେ ଗତ ଅକ୍ଟୋବର ମାସରେ ସେ ଜନ୍ମ ଦେଇଥିଲେ ଦୁଇଟି ଯାଆଁଳା ଶିଶୁ | ମୃତ ସ୍ୱାମୀଙ୍କ ସନ୍ତକ ଦୁଇଟି ତାଙ୍କ କୋଳ ସିନା ଭରିଦେଲେ କିନ୍ତୁ ମାଆଙ୍କ ଦୁଃଖ ଏବେ ଦ୍ଵିଗୁଣିତ ହୋଇଯାଇଛି | ଦୁଇ କଅଁଳା ଶିଶୁଙ୍କୁ ମାଆ କ୍ଷୀର କମ୍ ହେଉଥିବା ବେଳେ ଡାକ୍ତର ତାଙ୍କୁ ଡବା କ୍ଷୀର ଖାଇବାକୁ ପରାମର୍ଶ ଦେଇଛନ୍ତି | ତେବେ ଦୁଃଖ ଓ ପରିତାପର ବିଷୟ ଦୁଇଛୁଆଙ୍କ ମୁହଁରେ ଟୋପାଏ କ୍ଷୀର ଦେବାକୁ ବି ସକ୍ଷମ ହୋଇପାରୁନି ଦୁଃଖିନୀ ମାଆ | ଏହା କୌଣସି ସିନେମାର କାହାଣୀ ନୁହେଁ | ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅର୍ଜୁନ ଗାଁରେ | ଏଇ ଗାଁର ଦେବକୀ ମାହାର ନାମକ ଅସହାୟ ବିଧବା ମହିଳା ଦୁଇ ଶିଶୁଙ୍କ ମୁହଁରେ ଟୋପେ କ୍ଷୀର ଦେଇନପାରି ଖାଇବା ଚାଉଳ ସୁଦ୍ଧା ବିକ୍ରି କରିଦେଇଥିବା ଜଣାପଡ଼ିଛି | ଘରେ ରୋଗୀଣା ଶାଶୁ ଓ ବୃଦ୍ଧ ଶଶୁର ପୁଅର ମ୍ରୁତ୍ୟୁ ପରେ କିଂକର୍ତ୍ତବ୍ୟବିମୁଢ଼ ହୋଇ ପଡ଼ିଛନ୍ତି | ଘରର ଏପରି ପରିସ୍ଥିତି ଯେ ଦି’ଓଳି ଚୁଲି ଜଳିବା ବି ମୁସ୍କିଲ ହୋଇପଡ଼ିଛି | ଦେବକୀଙ୍କ ଦୁର୍ଦ୍ଦଶା ସଂପର୍କରେ ଚିଆଁପଦର ଗାଁର ସମାଜସେବୀ ରଘୁନାଥ ଦୀପଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଏବେ ସହାୟତାର ହାତ ବଢ଼ାଇଛନ୍ତି | ଲାଞ୍ଜିଗଡ଼ର ସୁପରିଚିତ ସମାଜସେବୀ ଶ୍ରୀବତ୍ସ ତାଣ୍ଡି ସେ ଦେବକୀଙ୍କ ବ୍ୟାଙ୍କ ଏକାଉଣ୍ଟକୁ ପ୍ରତି ମାସରେ ପରିବାର ଚଳଣୀ ଓ ଜାଆଁଳା ଶିଶୁଙ୍କ ପ୍ରତିପୋଷଣ ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି | ଯୁବ ସମାଜସେବୀ ସୁଶୀଲ କୁମାର ବାଗ ମଧ୍ୟ ଦେବକୀଙ୍କୁ ସହାୟତାର ହାତ ବଢ଼ାଇଥିବା ଜଣାଯାଏ | ସେହିପରି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମ କର୍ତ୍ତାମାନେ ମଧ୍ୟ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ