ଦୁଇ ଟ୍ରକ ମୁହାଁମୁହିଁ ଧକ୍କା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ପାଳଦା ବାଙ୍କ ଠାରେ ଦୁଇଗୋଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାଯାଇଛି। ଡବ୍ଲ୍ୟୁବି ୨୩ସି୨୪୧୯ ଟ୍ରକଟି କଟକ ଆଡୁ ଭଦ୍ରକ ଅଭିମୁଖେ ଆସୁଥିଲା। ସେହିଭଳି ବିପରୀତ ବାଲେଶ୍ୱର ପଟୁ ଡବ୍ଲ୍ୟୁବି ୧୧ବି ୦୦୩୭ଟ୍ରକଟି ମାଲ ବୋଝେଇ କରି ଆସୁଥିବା ବେଳେ ଦୁଇ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଯୋଗୁ ଗାଡିର କେହି ଡ୍ରାଇଭର କିମ୍ବା ହେଲ୍ପର ଗୁରୁତର ଆହତ ହୋଇନଥିଲେ ସୁଦ୍ଧା ରାସ୍ତାରେ କିଛି ସମୟ ପାଇଁ ଯାନବାହନ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ପୃଥକ ପୃଥକ ସ୍ଥାନକୁ ହଟାଇବାପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଏଠାରେ ସୂଚିତ ପାଳଦାବାଙ୍କ ଓ ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ଠାରେ ଦୁଇଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ପୋଲ ନିର୍ମାଣ ହେଉଥିବାବେଳେ ଗାଡିଚଳାଚଳ ପାଇଁ ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଛି। ନିର୍ମାଣକାରୀ ସଂସ୍ଥା ଅତି ନିମ୍ନମାନର ଅଣଓସରିଆ ରାସ୍ତା ନିର୍ମାଣ କରିଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଜଣାପଡିଛି। ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।