ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା, ୧୨ ଆହତ
ହାଇଦ୍ରାବାଦ୍ : ହାଇଦ୍ରାବାଦ୍ର କଚେଗୁଡ଼ା ରେଳ ଷ୍ଟେସନରେ ସୋମବାର ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ହାଇଦ୍ରାବାଦ୍ର କଚେଗୁଡ଼ା-ମଲକପେଟ୍ ରେଳ ଷ୍ଟେସନ୍ ମଧ୍ୟରେ ସୋମବାର ସକାଳ ୧୦.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ ଲୋକାଲ ଏମ୍ଏମଟିଏସ୍ ଟ୍ରେନ୍ ଫଲକନୁମାରୁ ସିକନ୍ଦରବାଦ୍ ଅଭିମୁଖେ ଯାତ୍ରା କରୁଥିବାବେଳେ ସେହି ସମାନ ଟ୍ରାକରେ ଏକ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍ ସହ ଧକ୍କା ହୋଇଥିଲା । ଭୁଲ୍ ସିଗନାଲ୍ ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଯୋଗୁଁ ଏମଏମଟିଏସ୍ ଟ୍ରେନର ୩ ବଗି କ୍ଷତିଗ୍ରସ୍ତ ହୋଇଥିବାବେଳେ ଇଣ୍ଟରସିଟି ଟ୍ରେନର ୪ ବଗି କ୍ଷତିଗ୍ରସ୍ତ ହୋଇଛି । ଆହତମାନଙ୍କୁ ନିକଟସ୍ଥ ଓସ୍ମାନିଆ ଜେନେରାଲ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ସମସ୍ତ ଆହତମାନଙ୍କୁ ଉତ୍ତମ ଚିକିତ୍ସା ସହ ଆବଶ୍ୟକ ସୁବିଧାସୁଯୋଗ ଦେବାପାଇଁ କହିଛନ୍ତି । ଦୁର୍ଘଟଣାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।