ଦୁଇ ଦିନ ଧରି ପାଳିତ ହେଲା ଆଲୋକର ପର୍ବ ଦୀପାବଳି
ନିମାପଡ଼ା,( ସନ୍ତୋଷ ଦାଶ): ଆଲୋକର ପର୍ବ ଦୀପାବଳିକୁ ଗତକାଲି କିଛି ଲୋକ ପାଳନ କରିଥିବାବେଳେ ଆଜି ପୁଣି କିଛି ଲୋକ ପାଳନ କରିଛନ୍ତି । ବିଭିନ୍ନ ପାଞ୍ଜିରେ ଦିଆଯାଇଥିବା ତିଥି ଓ ଲଗ୍ନ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ବଢାଇ ଦେଇଛି । ବିରଜା ପାଞ୍ଜିକୁ ମାନୁଥିବା ଅଞ୍ଚଳରେ ଗତକାଲି ଲୋକ ଦୀପାବଳି ପାଳନ କରିଥିଲେ । ସେହିପରି କୋହେନୂର ଓ ଖଡୀରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଲୋକ ମାନେ ଆଜି ଦୀପାବଳି ପାଳନ କରିଛନ୍ତି । ଦୁଇ ଦିନିଆ ଦୀପାବଳି ପାଳନ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି । ପୁରୀ ଶ୍ରୀମନ୍ଦିରରେ ଆଜି ଦୀପାବଳି ପାଳନ ହେଉଛି। କିନ୍ତୁ ଗତକାଲି ସନ୍ଧ୍ୟାରେ ବାହାରୁ ଆସିଥିବା କିଛି ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିବା ସହ ବଡବଡୁଆ ଡାକୁଥିବା ଦେଖିବାକୁ ମିଳିଥିଲା। କେବଳ ଏହି ଦୀପାବଳି ନୁହେଁ ପୂର୍ବରୁ କୁମାର ପୂର୍ଣ୍ଣିମା, ଅନନ୍ତବ୍ରତ , ଦଶହରା ଉତ୍ସବ ଭଳି ଅନେକ ପର୍ବ ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ତେଣୁ ଏଭଳି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ଓ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।