ଦୁଇ ବର୍ଷ ଆଠ ମାସରେ ଅନର୍ଗଳ ଗାଉଛନ୍ତି ମହା ମୃତ୍ୟୁଞ୍ଜୟ ମନ୍ତ୍ର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବୟସ ମାତ୍ର ଦୁଇ ବର୍ଷ ଆଠ ମାସ I କଥା କହିଲା ବେଳେ ପାଟି ଖନି ମାରୁଛି I ଚାଲିଲେ ପାଦ ଟଳମଳ ହେଉଛି I କିନ୍ତୁ ଶିଶୁଟିର ବିସ୍ମୟ ପ୍ରତିଭା ସମସ୍ତଙ୍କୁ ଚକିତ କରିଦେଇଛି I ମହା ମୃତ୍ୟୁଞ୍ଜୟ ଭଳି କଷ୍ଟକର ମନ୍ତ୍ରକୁ ନିର୍ଭୁଲ୍ ଭାବେ ଅନର୍ଗଳ ଗାଇ ସମସ୍ତଙ୍କୁ ଚମକାଇ ଦେଉଛନ୍ତି I ବିସ୍ମୟ ଶିଶୁ ଜଣଙ୍କ ହେଉଛନ୍ତି ଦିବଙ୍ଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ସାନ ଭାଇ ତଥା ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ଗୋବରା ପଞ୍ଚାୟତ ବିରିପୁର ଗ୍ରାମର ଅବିନାଶ ଦାସ ଏବଂ ହରପ୍ରିୟା ଲେଙ୍କାଙ୍କ ସୁକନ୍ୟା ଦେବୀସ୍ପିତା ଦିବ୍ୟଦର୍ଶୀନି ଓରଫ ଭୂମି I ଦେବୀସ୍ପିତାଙ୍କ ବୟସ ମାତ୍ର ଦୁଇ ବର୍ଷ ଆଠ ମାସ ହୋଇଥିଲେ ମଧ୍ୟ ସେ ନିଜର କୁନି କୁନି ଓଠରେ ଜାତୀୟ ସଙ୍ଗୀତ,ଏକ କୁକୁଡାର ବେକ, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ଗୁରୁ ବନ୍ଦନା ଏବଂ ସାଇ ଭଜନ ଅତି ସୁନ୍ଦର ଭାବେ ଗାନ କରିଥାନ୍ତି I ଏହା ସହିତ ଇଁରାଜୀ ବର୍ଣ୍ଣମାଳା,ଓଡ଼ିଆ ବର୍ଣ୍ଣମାଳା,ହିନ୍ଦୀ ବର୍ଣ୍ଣମାଳା, ଉଭୟ ଓଡ଼ିଆ ଏବଂ ଇଂରାଜିରେ ୫୦ ପର୍ଯ୍ୟନ୍ତ ସଂଖ୍ୟା ଗଣନ,ବାର ମାସର ନାମ,ଛଅ ଋତୁର ନାମ,ସାତ ବାରର ନାମ, ମାଆ ନାମର ଅର୍ଥ, ବାପା ନାମର ଅର୍ଥ ଆଦି ସ୍ପଷ୍ଟ ଭାବେ କହିଥାନ୍ତି I କେବଳ ଏତିକି ନୁହେଁ ଦେବୀସ୍ପିତା ବିଭିନ୍ନ ପ୍ରକାର ପଶୁ,ପକ୍ଷୀ,ଫୁଲ ସହିତ ନିଜ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ରଜ୍ୟର ବିଭିନ୍ନ ଦର୍ଶନୀୟସ୍ଥାନ,ବିଭିନ୍ନ କ୍ଷେତ୍ର,ଜିଲ୍ଲାର ନାମ, ରାଜ୍ୟର ନାମ,ବିଭିନ୍ନ ସହରର ନାମ, ଜାତୀୟ ସଙ୍କେତ ,ଚାରି ଯୁଗ,ଚାରି ଧାମ,ଚାରି ବେଦ,ଚାରି ଦିଗ, ପଞ୍ଚତନ୍ତ୍ର, ପଞ୍ଚ ଇନ୍ଦ୍ରିୟ, ପଞ୍ଚୁପାଣ୍ଡବଙ୍କ ସମ୍ପର୍କରେ ମଧ୍ୟ ନିଜର ଖନି ଖନି କଥାରେ କହିପାରନ୍ତି I ଦେବୀସ୍ପିତାଙ୍କର ଛୋଟ ବେଳୁ ଏହି ପ୍ରତିଭାର ବିକାଶ ପାଇଁ ମାଆ ହରପ୍ରିୟା ବେଶ୍ ଯତ୍ନଶୀଳା ଅଟନ୍ତି I ଦାଣ୍ଡରେ ସାଇକେଲ ଦିଖିଲା ବେଳେ ସେ ବିନା ହେଲିମେଟରେ ସାଇକେଲ ଚାଲାଇବାକୁ ମନା କରୁଛି । ଦେବୀସ୍ପିତାଙ୍କର ଏହି ପ୍ରତିଭା ନିଶ୍ଚିତ ଭାବେ ଏକ ଈଶ୍ଵର ଦତ୍ତ ପ୍ରତିଭା ଏବଂ ଏହି ପ୍ରତିଭା ହିଁ ତାଙ୍କୁ ବିଶ୍ଵ ସ୍ତରରେ ପରିଚିତ କରାଇପାରିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I


