ଦୁଇ ବିଜେଡି ନେତାଙ୍କୁ ହତ୍ୟାର ୪୮ ଘଣ୍ଟା ବିତିଥିଲେ ମଧ୍ୟ ହତ୍ୟାକାରୀଙ୍କ ସୁରାକ ପାଉନି ପୋଲିସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତର ସିନ୍ଧବା ଗ୍ରାମ ନିକଟସ୍ଥ ସଉରା ପାହାଡ ରାସ୍ତା ପାର୍ଶ୍ଵରେ ଗତ ଶନିବାର ବିଳମ୍ବିତ ସନ୍ଧ୍ୟାରେ ପାଳଝାଡି ଗ୍ରାମର ୨ ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ରଙ୍କୁ ଯୋଜନାବଦ୍ଧ ଭାବେ ପଥର ଛେଚି ହତ୍ୟା କରିଥିଲେ । ହତ୍ୟା ଘଟଣାର ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ହତ୍ୟାକାରୀଙ୍କ ଗିରଫ କରିବା ପାଇଁ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ଅଂଚଳରେ ଚର୍ଚା ହେଉଛି। ଗତ ପଞ୍ଚାୟତ ନିର୍ବାଚନକୁ ନେଇ ଗ୍ରାମରେ ଦୁଇ ବିଜେଡି ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିଲା । ଏପରିକି ରବିଚନ୍ଦ୍ର ଗୈାଡଙ୍କ ସ୍ତ୍ରୀ ସରପଞ୍ଚ ଭାବେ ୪ ଟି ଭୋଟରେ ବିଜୟୀ ହୋଇଥିଲେ । ଏହାପରେ ଗ୍ରାମରେ ବିଭିନ୍ନ ସମୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା ମଧ୍ୟ ଦେଖାଦେଇଥିଲା । ତେବେ ଦୁଇ ନେତାଙ୍କ ମୃତ୍ୟୁକୁ ବର୍ତ୍ତମାନ ସୁଦ୍ଧା ସହଜରେ ଗ୍ରହଣ କରିପାରୁ ନାହାନ୍ତି ପଞ୍ଚାୟତ ବାସୀ । ଯାହାଫଳରେ ରାଜନୈତିକ ମହଲ ଉଷ୍ମତା ବୃଦ୍ଧି ପାଇବା ଲୋକ ମାନଙ୍କ ମଧ୍ୟରେ କୋକୁୟାଭୟ ସୃଷ୍ଟି ହୋଇଛି । ତେବେ ଶନିବାର ସନ୍ଧ୍ୟାରେ ଉଭୟେ ମିଶି ଏକ ବାଇକ୍ ଯୋଗେ ପନାଡ ଗ୍ରାମରେ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ସହ କଥାବାର୍ତ୍ତା ହୋଇ ପାଳଝାଡି ଫେରୁଥିବା ବାଟରେ ୪ ଜଣ ଯୁବକ ଅଟକାଇ ପଥର ଛେଚି ହତ୍ୟା କରିଥିଲେ । ଘଟଣା ପରେ ଗତକାଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପୀନାକ ମିଶ୍ର , ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା , ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ , ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସମେତ ସାଇଣ୍ଟିଫିକ ଟିମ୍ ଅନୁସନ୍ଧାନ କରି ଫେରିଥିଲେ । ତେବେ ହତ୍ୟାକାରୀ ମାନେ ରାଜନୈତିକ ଆକ୍ରୋଶକୁ ଦୃଷ୍ଟିରେ ରଖି ପରାଜିତ ଦଳର ସ୍ବାମୀ ଓ ତାଙ୍କ ସହଯୋଗୀ ମାନେ ହତ୍ୟା କରିଥିବା ପରିବାର ଲୋକେ କହୁଥିବା ବେଳେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନ୍ୟାୟ ଅପେକ୍ଷାରେ ଚାହିଁ ରହିଛନ୍ତି ଗ୍ରାମବାସୀ । ଏପଟେ ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ନା ଗିରଫ କରିବାରେ ସଫଳ ହୋଇପାରିଛି ନା କୈାଣସି ସୁରାକ ମଧ୍ୟ ପାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ଘଟଣାସ୍ଥଳରୁ ରକ୍ତଭିଜା ପଥର ଓ ଦୁଇହଳ ଚପଲ ଜବତ କରିଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଧରିବାରେ କାହିଁକି ବିଳମ୍ବ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ତେବେ ସୋମବାର ଅପରାହ୍ନରେ ବିଜେପି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା , ବିଜେପିି ନେତା ଇଂ . ଉତ୍ତମ କୁମାର ପାଣିଗ୍ରାହୀ , ମହାନ୍ତ ଚିନ୍ମୟ ଦାସ ମହାରାଜ , ସିଦ୍ଧାନ୍ତ ଗଙ୍ଗଦେଓ , ଗଦାଧର ସ୍ଵାଇଁ , ପରେଶ ରଥ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦୃଢକ୍ତି ବାଢ଼ିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ