ଦୁଇ ସପ୍ତାହ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ଲୋକପ୍ରିିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ଓଡ଼ିଶାର ଦାୟିତ୍ୱ ନେଲେ ସେହି ସମୟରେ ରାଜ୍ୟରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା । ତେଣୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସର୍ବପ୍ରଥମେ ୧୫୦୦ଟଙ୍କାରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ନାମରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିୟୋଜିତ କଲେ ଓ ପର୍ଯ୍ୟାୟକ୍ରମେ ଆଜି ପର୍ଯ୍ୟନ୍ତ ଏହାକୁ କନିଷ୍ଠ ଶିକ୍ଷକ ନାମରେ ଚୁକ୍ତିରେ ପ୍ରାଥମିକ ବିଦ୍ୟାଳୟରେ ନିୟୋଜନ ଚାଲିଛି । ପ୍ରାଥମିକ ଶିକ୍ଷକମାନେ ଚୁକ୍ତିରେ କାର୍ଯ୍ୟ କରି ୨୦୦୧ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ରାଜକୋଷକୁ ଭରଣା କଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୬ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବା ଶିକ୍ଷା ସହାୟକ ବା କନିଷ୍ଠ ଶିକ୍ଷକମାନଙ୍କୁ ସରକାରୀ ପ୍ରାଥମିକ ଶିକ୍ଷକ କରାଗଲା । ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୧୩ ମସିହା ଠାରୁ ଅନ୍ୟ ବିଭାଗରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀ ନିୟୋଜିତ କରି ସେମାନଙ୍କୁ ଇନ୍ସିଆଲ ଆପଏଣ୍ଟିଜ୍ ନାମରେ ନାମିତ କଲେ । ବର୍ତ୍ତମାନ ରାଜ୍ୟ ସରକାର ଆପଏଣ୍ଟିଜମାନଙ୍କଠିକା ନିଯୁକ୍ତିକୁ ଓଡ଼ିଶାରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ସହିତ ସେମାନଙ୍କର ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ୬ଟି ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିଛନ୍ତି । ସେମାନଙ୍କୁ ମଧ୍ୟ ପଦୋନ୍ନତିର ସୁବିଧା ସୁଯୋଗ ଦେଇଛନ୍ତି । ସମସ୍ତ ବିଭାଗ ପାଇଁ ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ବେଳେ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଏଭଳି ଅବିଚାର କାହିଁକି ବୋଲି ସଂଘ ସରକାରଙ୍କୁ ପ୍ରଶ୍ନ କରିଛି । ଗୋଟିଏ ପଟେ ପ୍ରାଥମିକ ଶିକ୍ଷକମାନଙ୍କୁ ୨୮୦୦ ଟଙ୍କା ଗ୍ରେଡ୍ ପେ ଦେଇନଥିବା ବେଳେ ଅନ୍ୟପଟେ ସେମାନଙ୍କ ଠିକା ନିଯୁକ୍ତିକୁ ଉଚ୍ଛେଦ କରିନାହାଁନ୍ତି କିମ୍ବା ୬ ବର୍ଷର ଠିକା କାର୍ଯ୍ୟକାଳକୁ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରାଯାଇ ନାହିଁ । ବାରମ୍ବାର ଦାବି ସତ୍ତ୍ୱେ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ଦାବିକୁ ଅଣଦେଖା କରି ଚାଲିଛନ୍ତି । ତେଣୁ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କ ମନରେ ଅସନ୍ତୋଷର ବାତାବରଣ ଖେଳିଯାଇଛି । ତେଣୁ ତୁରନ୍ତ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଠିକା ନିଯୁକ୍ତି ଉଚ୍ଛେଦ କରି ସେମାନଙ୍କର ୬ ବର୍ଷର କାର୍ଯ୍ୟକାଳକୁ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଂଘ ତରଫରୁ ଅନୁରୋଧ କରାଯାଇଛି । ଯଦି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କର ନ୍ୟାୟୋଚିତ ଦାବିକୁ ସରକାର କାର୍ଯ୍ୟକାରୀ ନ କରନ୍ତି, ତେବେ ସଂଘ ବାଧ୍ୟ ହୋଇ ରାଜ୍ୟରେ କାର୍ଯ୍ୟରତ ୭୦ ହଜାରରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ଓ ସମସ୍ତ ଶିକ୍ଷକ ସଂଗଠନକୁ ଏକତ୍ର କରି ବ୍ଲକ ଠାରୁ ରାଜ୍ୟ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ଓ ଶିକ୍ଷା କ୍ଷେତ୍ରରେ ଉପୁଜିବା ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଗୁୁରୁବାର ଦିନ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଟୁଲୁ ଦେଇ, ସୁଧାଂଶୁ ମଣ୍ଡଳ, କେଶବ ଚନ୍ଦ୍ର କର, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ସଂଗଠନ ସମ୍ପାଦକ ସୁଧାଂଶୁ ଭୂଷଣ ନାୟକ, ଜିତେନ୍ଦ୍ର ନାୟକ, ଅକ୍ଷୟ କୁମାର ପୋଥାଳ ପ୍ରମୁଖ ଚେତାବନୀ ଦେଇଛନ୍ତି ।


