ଦୁଗ୍ଧ ଚାଷୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ କୃତଜ୍ଞତା
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର କେତେଗୁଡ଼ିଏ ଦାବିକୁ ମାନି ନେଇ ରାଜ୍ୟ ସରକାର ମାର୍ଚ୍ଚ ୧ ତାରିଖରୁ ଏହାକୁ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ଦୁଗ୍ଧ ଲିଟର ପିଛା ପ୍ରୋତ୍ସାହ ରାଶି ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି କରାଯାଇଛି ଯାହାଫଳରେ ରାଜ୍ୟର ୪,୧୫୯ର ୨.୭୮ଲକ୍ଷ ଓମ୍ଫେଡ଼ ଦୁଗ୍ଧ ଚାଷୀ ଏହି ପ୍ରୋତ୍ସାହନ ରାଶି ପାଇପାରିବେ । ସେହିଭଳି ରାଜ୍ୟ ସରକାରଙ୍କ କାଳିଆ ଯୋଜାନରେ ଗୁହାଳ ପକ୍କା କରିବା ପାଇଁ ସରକାରଙ୍କ ପକ୍ଷରୁ ୬,୨୫୦ଟଙ୍କା ଯୋଗାଇ ଦିଆଯିବ ଏବଂ ଚାଷୀମାନେ ମଧ୍ୟ ୬,୨୫୦ ଟଙ୍କା ଦେବେ । ସେହିଭଳି ଗୋଖାଦ୍ୟର ଅପମିଶ୍ରଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦୃଢ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ଉଲ୍ଲେଖ ଥାଉକି ଗତମାସ ୫ ତାରିଖ ଦିନ ରାଜ୍ୟର ଶହ ଶହ ଦୁଗ୍ଧ ଚାଷୀ ଗାଈ ଓ ଦୁଗ୍ଧ କେନ୍ ଧରି ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବା ସହିତ ରାଜରାସ୍ତାରେ କ୍ଷୀର ଢାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୁଗ୍ଧ ଚାଷୀ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ମହାସଂଘର ଅଧ୍ୟକ୍ଷ ତଥା ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ମାନ୍ୟବର କୃଷିମନ୍ତ୍ରୀଙ୍କୁ ସାକ୍ଷାତ୍ କରି ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହା ମଧ୍ୟରୁ ସରକାର ତିନୋଟି ଦାବି ପୂରଣ ପାଇଁ ପଦକ୍ଷେପ ନେଇଥିଲା ବେଳେ ଆହୁରି ଚାରୋଟି ଦାବି ଉପରେ କୌଣସିି ପଦକ୍ଷେପ ନେଇନାହାଁନ୍ତି । ଦାବିଗୁଡ଼ିକ ମଧ୍ୟରେ ଗୋଖାଦ୍ୟର ଅହେତୁକ ମୂଲ୍ୟବୃଦ୍ଧି ଓ ଅପମିଶ୍ରଣ ବନ୍ଦ କରିବା, ଦୁଗ୍ଧ ସମବାୟ ସମିତିର ଦୀର୍ଘଦିନ ଧରି ଗୋତିଶ୍ରମିକ ଭାବରେ ବିନା ପାରିଶ୍ରମିକରେ ଖଟୁଥିବା ସମବାୟ ସମିତିର ସମ୍ପାଦକଙ୍କୁ ସମବାୟ ଆଇନ୍ ଅନ୍ତର୍ଭୁକ୍ତ କରିବା ଏବଂ ଆଇସିଡ଼ିଏସ୍ ଓ ମଧାହ୍ନ ଭୋଜନ କାର୍ଯ୍ୟକ୍ରମରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟକୁ ସାମିଲ୍ କରି ଗ୍ରାମ୍ୟ ମହିଳା ଓ ବେକାର ଯୁବକ ଯୁବତୀଙ୍କୁ ଆତ୍ମ ନିଯୁକ୍ତିର ସୁଯୋଗ ଦେବା ଏବଂ ସର୍ବୋପରି ଦୁଗ୍ଧ ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା ସ୍ଥିର କରିବା ଆଦି ଦାବି ଅନ୍ତର୍ଭୁକ୍ତ । ମହାସଂଘ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ସମେତ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର ଓ ସମ୍ପାଦକ ନାରାୟଣ ଡ଼ାଳୁଆ ପ୍ରମୁଖ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ଆଶା ପ୍ରକାଶ କରିଛନ୍ତି ଯେ ଉପରୋକ୍ତ ଦାବିଗୁଡ଼ିକ ଉପରେ ସରକାର କାଳବିଳମ୍ବ ନ କରି ପଦକ୍ଷେପ ଗ୍ରହଣ କରିବେ । ଆଗାମୀ ଦିନରେ ଏ ସମ୍ପର୍କରେ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମହାସଂଘ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।