ଦୁନିଆର ଦ୍ଵିତୀୟ ସବୁଠୁ ବଡ ଧନୀ ହେବାର ନିକଟତର ଗୌତମ ଅଦାନୀ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଗୌତମ ଅଦାନୀ ଦୁନିଆର ଶୀର୍ଷ ୧୦ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଲଗାତାର ଉପରକୁ ଉଠି ଚାଲିଛନ୍ତି। ସେ ଆମାଜନର ଜେଫ ବେଜୋସଙ୍କୁ ପଛରେ ପକାଇ ପୁଣି ଥରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏବେ ତାଙ୍କର ଲକ୍ଷ୍ୟ ଦ୍ଵିତୀୟ ସ୍ଥାନକୁ ଉଠିବା ଉପରେ ରହିଛି। ସଂପ୍ରତି ଦୁନିଆର ଦ୍ଵିତୀୟ ସବୁଠୁ ବଡ ଧନୀ ବର୍ଣ୍ଣାର୍ଡ ଆରନଲ୍ଟ ଏବଂ ଅଦାନୀଙ୍କ ମଧ୍ୟରେ ସଂପତ୍ତିର ବ୍ୟବଧାନ ବହୁତ କମ ରହିଛି। ଫୋବର୍ସର ରିୟଲ ଟାଇମ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ ମୋଟ୍ ସଂପତ୍ତିର ପରିମାଣ ବଢି ୧୪୮.୮ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସଂପତ୍ତି ସହିତ ଟପ୍-୧୦ ତାଲିକାରେ ଅଦାନୀ ପୁଣି ଥରେ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଉଲ୍ଲେଖନୀୟ ଗତ ଦିନରେ ଫ୍ରାନ୍ସର କୋଟି ପତି ବର୍ଣ୍ଣାର୍ଡ ଆରନଲ୍ଟଙ୍କୁ ପଛରେ ପକାଇ ଅଦାନୀ ତୃତୀୟ ସ୍ଥାନରେ ପହଞ୍ଚିଥିଲେ। ହେଲେ ଆରନଲ୍ଟଙ୍କ ସଂପତ୍ତିରେ ବୃଦ୍ଧି କାରଣରୁ ସେ ଏବେ ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅଦାନୀଙ୍କ ଉପରେ ଦୁଇ ଜଣ କୋଟିପତି ଫୋବର୍ସ ତାଲିକା ଅନୁଯାୟୀ, ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀଙ୍କ ଉପରେ କେବଳ ଦୁଇ ଜଣ କୋଟିପତି ରହିଛନ୍ତି। ଟେସ୍‌ଲା ସିଇଓ ଏଲନ ମସ୍କ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ୍ ସଂପତ୍ତିର ପରିମାଣ ୨୫୩.୪ ବିଲିୟନ ଡଲାର। ୧୫୪.୯ ବିଲିୟନ ଡଲାରର ସଂପତ୍ତି ସହ ବର୍ଣ୍ଣାର୍ଡ ଆରନଲ୍ଟ ଦ୍ଵିତୀୟ ସ୍ଥାନରେ ନିଜର ସ୍ଥିତି ଜାହିର କରିଛନ୍ତି। ଅଦାନୀ-ଆରନଲ୍ଟଙ୍କ ମଧ୍ୟରେ ଏତିକି ବ୍ୟବଧାନ ଗୌତମ ଅଦାନୀ ଏବଂ ଦ୍ଵିତୀୟରେ ଥିବା ଆରନଲ୍ଟଙ୍କ ମଧ୍ୟରେ ବ୍ୟବଧାନ ବହୁତ କମ ରହିଛି। ଦୁହିଁଙ୍କ ସଂପତ୍ତିରେ ଏବେ ୬.୧ ବିଲିୟନ ଡଲାରର ଅନ୍ତର ରହିଛି। ଯେଉଁ ଗତିରେ ଅଦାନୀଙ୍କ ସଂପତ୍ତି ବଢିବାରେ ଲାଗିଛି, ତାକୁ ଦେଖିଲେ ଲାଗୁଛି ସେ ଶୀଘ୍ର ଦୁନିଆର ଦ୍ଵିତୀୟ ସବୁଠୁ ବଡ ଧନୀ ହୋଇ ପାରନ୍ତି। ଅନ୍ୟପଟେ ଜେଫ ବେଜୋସ୍ ଏବଂ ଅଦାନୀଙ୍କ ସଂପତ୍ତି ମଧ୍ୟରେ ବ୍ୟବଧାନ ୧୨.୧ ବିଲିୟନ ଡଲାର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ