ଦୁବାଇରେ ହେବ ଏସିଆ କପ୍ କ୍ରିକେଟ: ସୌରଭ ଗାଙ୍ଗୁଲି
କୋଲକାତା: ଆସନ୍ତା ଏସିଆ କପ୍ କ୍ରିକେଟ୍ ଦୁବାଇରେ ହେବ ଓ ଏଥିରେ ଉଭୟ ଭାରତ ଓ ପାକିସ୍ତାନ ଭାଗ ନେବେ ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଏସିଆ କପ୍ ଆୟୋଜନ ଅଧିକାର ପାକିସ୍ତାନ ହାସଲ କରିଥିଲା। ମାତ୍ର ଦ୍ବିପାକ୍ଷିକ ସମ୍ପର୍କରେ ଅବନତି ଓ ପାକିସ୍ତାନରେ ସୁରକ୍ଷାକୁ ନେଇ ସମସ୍ୟା ଥିବାରୁ ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିଲା। ତେଣୁ ଏସିଆ କପ୍କୁ କୌଣସି ଏକ ନିରପେକ୍ଷ ସ୍ଥାନରେ କରି ସମସ୍ୟା ଟାଳିବା ପାଇଁ ହୋଇଥିବା ଉଦ୍ୟମ ସଫଳ ହୋଇଥିବା ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।
ମାର୍ଚ୍ଚ ୩ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରିକେଟ ପରିଷଦ ବୈଠକରେ ଯୋଗଦେବା ପାଇଁ କୋଲକତା ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରିବା ଅବସରରେ ଗାଙ୍ଗୁଲି ଏସିଆ କପ୍ ଦୁବାଇରେ ହେବା ନେଇ ସ୍ଥିର ହୋଇଥିବା କହିଛନ୍ତି। ଫଳରେ ପୁଣି ଥରେ ଏକ ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ସେପ୍ବେମ୍ବରରେ ଏସିଆ କପ୍ ଖେଳାଯିବାକୁ ସ୍ଥିର ହୋଇଥିଲା ବେଳେ ଖେଳସୂଚୀ ସ୍ଥିର ହୋଇ ନାହିଁ।
୨୦୧୨-୧୩ରେ ପାକିସ୍ତାନ ଶେଷ ଥର ପାଇଁ ଭାରତ ଗସ୍ତ କରିଥିଲା ବେଳେ ଏଯାବତ ଆଉ ଦୁଇ ଦେଶ ମଧ୍ୟ ଦ୍ବିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ। ଯାହା କିଛି ମ୍ୟାଚ୍ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ହୋଇଛି।


