ଦୁର୍ଗମ ରାସ୍ତା ଯୋଗୁଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ଗ୍ରାମ ବାସୀ ଗର୍ଭବତୀ ମହିଳାଙ୍କୁ ୫ କି.ମି ଦୋଳାରେ ବୋହିଲେ : ଜନନୀ ଯନ୍ତ୍ରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଅନ୍ତରବା ଗ୍ରାମ ପଞ୍ଚାୟତ ଅଧୀନ ଆମ୍ବଗାଁ । ଏଠିକାର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ସହି ନ ପାରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ପଠାଇବା ପାଇଁ ଅନୁରୋଧ କରିଥିଲେ।ଆମ୍ବୁଲାନ୍ସ ଆସିଲା କିନ୍ତୁ ଖରାପ ପଥୁରିଆ ରାସ୍ତା ଦେଇ ଗାଡ଼ି ଯିବା ସମ୍ଭବ ହୋଇ ନପାରିବାରୁ ପଦାଗାଲମାରେ ୨ ଘଣ୍ଟା ଧରି ଅପେକ୍ଷା କଲା ଆମ୍ବୁଲାନ୍ସ । ପଦାଗାଲମା ଠାରୁ ଆମ୍ବଗାଁ ୫କିମି ଦୂର । ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ଗାଁର କିଛି ଲୋକ ଦୋଳା ସାହାଯ୍ୟରେ ବୋହି ଆଣିଲେ ୫କିମି ଦୂରରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ପାଖକୁ | ସେଠାରୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତୀ କରିଥିଲେ। ଏହାର କିଛି ସମୟ ପରେ ମହିଳାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଉଭୟେ ସୁସ୍ଥ ଥିବା ଡାକ୍ତର ଉଲ୍ଲାସ ରାଉତ କହିଛନ୍ତି। ଅପରପକ୍ଷେ ବାତ୍ୟାର ସୂଚନା ରହିଥିବା ବେଳେ ଅଞ୍ଚଳର ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ସୁପରଭାଇଜର ଗର୍ଭବତୀ ମହିଳାଙ୍କୁ ସୂଚନା ନ ଦେବା, ତଦାରଖ ନ କରିବା ଓ ସ୍ଵାସ୍ଥ୍ୟ କେନ୍ଦ୍ରକୁ କିମ୍ଵା ମା’ ଗୃହକୁ ସ୍ଥାନାନ୍ତର ନ କରିବା ଅଞ୍ଚଳବାସୀଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁପରଭାଇଜର ଚନ୍ଦ୍ରଗିରିରେ ଅବସ୍ଥାନ କରିବା ଅଞ୍ଚଳକୁ ନଯିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି ।