ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଆଜି ଅପରାହ୍ନ ଘ. ୩.୩୦ମି ସମୟରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ବାଲେଶ୍ୱର ଶ୍ରୀ ସ୍ବରୁପ କୁମାର ଦାସ ଯୋଗଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଉପଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚହ୍ୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଲ ସେନ ଜଗତଦେଓଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୁଲିସ, ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ I ଜିଲ୍ଲା ଗୁଇନ୍ଦା ଡି.ଏସ.ପି ଶ୍ରୀମତୀ ବ୍ରଜେଶ୍ବରୀ ବଳ ପୂର୍ବ ବର୍ଷର ବିବରଣୀ ପାଠ କରିବା ସହିତ ବିଭିନ୍ନ ନିୟମାବଳୀ ସମ୍ପର୍କରେ ସଭାକୁ ସୂଚନା ଦେଇଥିଲେ । ଦୁର୍ଗାପୂଜା ଲାଗି ବାଲେଶ୍ୱର ସହରରେ ପ୍ରାୟ ୯୬ଟି ମେଢ ନିର୍ମିତ ହେବାକୁ ଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୁର୍ଗାପୂଜା ଅବସରରେ ମହାଷଷ୍ଠୀ ପୂଜା ଅକ୍ଟୋବର ୨୦ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୨୪ ତାରିଖ ଦିନ ଦଶହରା ପୂଜା ଅନୁଷ୍ଠିତ ହେବ । ୨୨ ତାରିଖ ବୀରାଷ୍ଟମୀରେ ଓ ୨୪ ତାରିଖ ଦଶହରାଦିନ ଆଖଡ଼ା ଶୋଭାଯାତ୍ରା ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଶାସନ ସ୍ଥିର କରିଥିବା ସମୟରେ ଏହା ସମାପନ କରିବାକୁ ନିବେଦନ କରାଯାଇଛି I ୨୫ ତାରିଖ ଭସାଣୀ ଯାତ୍ରା ନିଜନିଜର କ୍ରମାଙ୍କ ଅନୁଯାୟୀ ଅନୁମୋଦିତ ସମୟ ମଧ୍ୟରେ ଶୋଭାଯାତ୍ରା ସାରି ମୂର୍ତ୍ତି ବିସର୍ଜନ କରିବେ I ସେହିପରି ବାଡି ଖେଳରେ ଯେପରି ତୀକ୍ଷ୍ଣ ଧାରଯୁକ୍ତ ଖଣ୍ଡା, ଅସ୍ତଶସ୍ତ୍ର ବ୍ୟବହାର ନ ହୁଏ ସେଥିପାଇଁ କମିଟିଗୁଡିକ ଯତ୍ନବାନ ହେବା ସହ ପୋଲିସ ତନଖି କରିବାକୁ ମତପ୍ରକାଶ ପାଇଥିଲା । ଏହି ସମୟ ମଧ୍ୟରେ ଆଇନଶୃଙ୍ଖଳା ଏବଂ ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି । ଭସାଣୀ ଯାତ୍ରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ଏବଂ ଡି.ଜେ ମୁ୍ୟଜିକ ସିଷ୍ଟମ ଉପରେ କଟକଣା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ତୋରଣର ଉଚ୍ଚତା ମେଢ଼ ଠାରୁ ଅଧିକ ରହିବ, ମାତ୍ର ସୁରକ୍ଷିତ ଉଚ୍ଚତା ମଧ୍ୟରେ ରହିବ Iବାଲେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିଙ୍ଗଲ ଓି୍ୱଣ୍ଡୋ ମାଧ୍ୟମରେ ପୂଜା କମିଟିମାନଙ୍କୁ ସମସ୍ତ ପ୍ରକାର ଅନୁମତି ପତ୍ର ଏବଂ ଆପତ୍ତି ବିହୀନ ପ୍ରମାଣପତ୍ର ଯୋଗାଇ ଦିଆଯିବ । ସିଙ୍ଗଲ ଓି୍ୱଣ୍ଡୋ ଲାଗି ଆସନ୍ତା ଅକ୍ଟୋବର ୧୨,୧୩,୧୪ ତାରିଖରେ ଆବେଦନ କରିହେବ । ସୁରକ୍ଷା ଲାଗି ସମସ୍ତ ପୂଜାମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ପୂଜା ସମୟରେ ବିଭିନ୍ନ ଜାଗାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ମାନକୁ ଯାଞ୍ଚ କରାଯିବା ଲାଗି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଆଖଡା ଖେଳ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ନିର୍ଦ୍ଧାରିତ ସମୟରେ ଏହାକୁ ଆରମ୍ଭ ଓ ଶେଷ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ରାସ୍ତାଘାଟ ମରାମତି, ମାଦକ ଦ୍ରବ୍ୟ ନିଷେଧ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ବିଶେଷ କରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବୈଠକରେ ମତାମତ ପ୍ରକାଶ ପାଇଥିବା ବେଳେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।ଶବ୍ଦର ତୀବ୍ରତା ୬୫ଡେସିବଲ ମଧ୍ୟରେ ସୀମିତ ରହିବ ଏବଂ ଏହାର ଉଲ୍ଲଙ୍ଘନ ହେଲେ ଆଇନ ଅନୁଯାୟୀ ପଦେକ୍ଷପ ନିଆଯିବ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଅନ୍ୟାନ୍ୟ କଟକଣାକୁ ମଧ୍ୟ ପୂଜା କମିଟିମାନଙ୍କୁ ମାନିବାକୁ ପଡିବ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା କୃତ୍ରିମ ଜଳାଶୟ ଯଥା ବାଲିଘାଟ ଓ ନୁନିଆଯୋରିରେ ମୂର୍ତ୍ତି ବିସର୍ଜନ କରାଯିବ । ଶୂନ୍ୟଶବ୍ଦ ଅଞ୍ଚଳରେ ଶୋଭାଯାତ୍ରା ଗଲାବେଳେ କୌଣସି ଶବ୍ଦ ଯେପରି ନ ହୁଏ ତାହା ପୂଜା କମିଟି ମାନେ ନିଶ୍ଚିତ କରିବେ। ମେଢ଼ ଗୁଡ଼ିକରେ ସି.ସି.ଟି.ଭି ଲଗାଇବା ପାଇଁ ପୂଜା କମିଟି ସଦସ୍ୟମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି I ଆସନ୍ତା ଦୁର୍ଗାପୂଜାକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ