ଦୁର୍ଗାପୂଜା ଓ ଦଶହରା ଭସାଣି ଶାନ୍ତିଶୃଙ୍ଖଳାର ସହ ପାଳନ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି।
ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସହର ସମେତ ଜିଲ୍ଲାରେ ଦୁର୍ଗାପୂଜା ତଥା ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଟ୍ରାଫିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଯାଏ ସବୁ ଯେପରି ଠିକ୍ ଭାବେ ପରିଚାଳିତ ହେବ ସେନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ଏସ୍ପି ସାଗରିକା ନାଥ ପୁଲିସ ବ୍ରିଫିଙ୍ଗ୍ରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଅବସରରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବ୍ରିଫିଙ୍ଗରେ ବାଲେଶ୍ବର ସହର ଓ ସହର ବାହାରେ ଜଳେଶ୍ବର, ରେମୁଣା, ସୋର ଏବଂ ନୀଳଗିରି ଆଦି ପ୍ରମୁଖ ସ୍ଥାନଗୁଡ଼ିକରେ ମା’ଙ୍କ ପୂଜା ପାଇଁ ମୋଟ ୨୫ ପ୍ଲାଟୁନ ପୁଲିସ ଫୋର୍ସ, ୫୦୦ ହୋମଗାର୍ଡ, ୧୫୫ରୁ ଉର୍ଦ୍ଧ୍ବ କନେଷ୍ଟବଳ, ୨୦ ଜଣ ହାବିଲଦାର, ୧୩୫ ଜଣ ଏସ୍ଆଇ ଓ ଏଏସ୍ଆଇ, ୪୦ ଜଣ ଊର୍ଦ୍ଧ୍ବ ଇନ୍ସପେକ୍ଟର, ୨୦ ଜଣ ଡିଏସ୍ପି, ୩ ଜଣ ଅତିରିକ୍ତ ଏସ୍ପି ନିୟୋଜିତ ହେବେ ବୋଲି ସୂଚନା ଦିଆଯାଇଛି। ଏହା ସହିତ ସହରର ସିସି କ୍ୟାମେରାଗୁଡ଼ିକୁ ନିୟୋଜିତ କରାଯାଇଛି। ୨୦ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସହରାଞ୍ଚଳ ଏବଂ ଜିଲ୍ଲାରେ ଦୁର୍ଗାପୂଜା ପାଳିତ ହେବାକୁ ଯାଉଥିବା ବେଳେ ଭସାଣି ଶୋଭାଯାତ୍ରା ପାଇଁ ୨୫ ତାରିଖକୁ ସ୍ଥିରୀକୃତ ହୋଇଛି। ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ଜିଲ୍ଲା ପୁଲିସ ତରଫରୁ ଟ୍ରାଫିକ କଟକଣାମାନ ଜାରି କରାଯାଇଛି। ମହାସପ୍ତମୀ ଅର୍ଥାତ୍ ୨୧ ତାରିଖ ଅପରାହ୍ଣ ୪ଟା ଠାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ନିୟମ କଡାକଡି ଭାବେ ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି।