ଦୁର୍ଗା ପୂଜା ଶାନ୍ତି କମିଟି ବୈଠକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସହରରେ ଆୟୋଜନ ହେଉଥିବା ଦୁର୍ଗା ପୂଜାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ସମସ୍ତ ପୂଜା କମିଟି, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ସ୍ଥାନୀୟ ନେତୃମଣ୍ଡଳୀକୁ ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରଥମେ ଶାରଦୀୟ ଦୁର୍ଗାପୂଜା ପାଳନର ଯେଉଁ ଶାନ୍ତି ଓ ଶୃଙ୍ଖଳାର ପରମ୍ପରା ରହିଆସିଛି ତା’କୁ ବଳବତ୍ତର ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଆଗାମୀ ଦଶହରା ଅକ୍ଟୋବର ୬ ତାରିଖରେ ମହାଅଷ୍ଟମୀ ଏବଂ ୮ ତାରିଖରେ ଦଶମୀ ହେଉଥିବା ଯୋଗୁଁ ୯ ତାରିଖରେ ମିଳିତ ଭସାଣୀ ଅନୁଷ୍ଠିତ ହେବ । ପୂର୍ବରୁ ହୋଇଆସୁଥିବା ସିଦ୍ଧାନ୍ତ ଅନୁଯାୟୀ ସହରର ଦୁଇଟି ସ୍ଥାନରେ ବିସର୍ଜନ କରାଯିବ । ତେବେ ନୁଣିଆଯୋଡି ନାଳରେ ଭସାଣି ନିମନ୍ତେ ଅନୁବିଧା ହେଉଥିବା ହେତୁ ସେଠାରେ କୃତ୍ରିମ ପୋଖରୀ ଖୋଳିବା ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇ ମଧ୍ୟ ଏଥିପାଇଁ ପଦକ୍ଷେପ ନେଉନଥିବାରୁ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଚଳିତ ବର୍ଷ ଏହାକୁ ପାଳନ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଗତବର୍ଷ ଶାନ୍ତି କମିଟିରେ ୧୭୪ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ଯଦି ଏବର୍ଷ ଅନ୍ୟମାନଙ୍କୁ ସାମିଲ ପାଇଁ ପ୍ରସ୍ତାବ ଥିଲେ ତୁରନ୍ତ ଜଣାଇବାକୁ କୁହାଯାଇଥିଲା । ପୂଜା ମଣ୍ଡପ ନିର୍ମାଣ ସକାଶେ ଆପତ୍ତି ବିହୀନ ପ୍ରମାଣ ପତ୍ର ନିମନ୍ତେ ସେପ୍ଟେମ୍ବର ୨୬ ଓ ୨୭ ଦୁଇଦିନ ରଖାଯାଇଛି । ମଣ୍ଡପ ନିର୍ମାଣ ବେଳେ ଅଗ୍ନି ନିର୍ବାବକ ଯନ୍ତ୍ର ରଖିବାକୁ ସୁନିଶ୍ଚିତ କରିବାକୁ ପୁଲିସ ତରଫରୁ ପରାମର୍ଶ ଦିଆଯାଇଛି । ସେହିପରି ଡାକବାଜି ଯନ୍ତ୍ର ବ୍ୟବହାର ତା’ର ସମୟ ଅବଧି ଏବଂ ଅନୁମତିଜନିତ ନିର୍ଦ୍ଦେଶନାମା ସକାଶେ ପୃଥକ ଭାବେ ଥାନାୱାରୀ ବୈଠକ ଆୟୋଜନ କରି ମାର୍ଗ ଦର୍ଶିକା ଜାରି କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚୀତ କରିଥିଲେ । ସେହିପରି ଶୋଭାଯାତ୍ରାରେ କୌଣସି ପ୍ରକାର ମାରଣାସ୍ତ୍ର ନ ଆଣିବା, ତୀକ୍ଷ୍ମ କିମ୍ବା ଧାବତ ତ୍ରିଶୂଳ, ଖଣ୍ଡା, ବର୍ଚ୍ଛା ଆଦି ପ୍ରଦର୍ଶନ ନକରିବାକୁ କୁହାଯାଇଥିଲା । ବିଶେଷ ଭାବେ ପାର୍ବଣ ସକାଶେ ରାସ୍ତାଘାଟ ମରାମତି, ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍ ସରବରାହ, ଯାନବାହାନ ନିୟନ୍ତ୍ରଣ, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ଉଠା ଦୋକାନ ପାଇଁ ଅନୁମତି ପ୍ରଦାନ ଆଦି ବିଷୟରେ ସଦସ୍ୟମାନେ ରହିଥିବା ତ୍ରୁଟି ସୁଧାରିବବାକୁ ଅନୁରୋଧ କରିଥିଲେ । ପୂଜା ପୂର୍ବରୁ ଏକ କମିଟି ବିଭିନ୍ନ ରାସ୍ତାଘାଟ, ବିଜୁଳି ବ୍ୟବସ୍ଥା, ମେଢ, ତୋରଣ ନିର୍ମାଣ ଆଦି ବୁଲି ଦେଖିବା ସହ ରହିଥିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏସ.ପି ପ୍ରସ୍ତାବ ରଖିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର, ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ପୂର୍ବତନ ବିଧାୟକ ଅରୁଣ ଦେ, ଗୋପନାରାୟଣ ଦାସ, ବିଧାୟକ ପ୍ରତିନିଧି ଗୌରାଙ୍ଗ ଚନ୍ଦ୍ର ଦାସ, ନିର୍ବାହୀ ଅଧିକାରୀ ଅମୃତ ସରକାର, ଡେପୁଟି କଲେକ୍ଟର ସୁଶ୍ରୀ ଅରୁଣା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ