ଦୁର୍ଘଟଣାରେ କାର୍ଯ୍ୟରତ ଶ୍ରମିକ ଆହତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅଧିନସ୍ଥ ଖଣ୍ଡବନ୍ଧସ୍ଥିତ ଟାଟାଷ୍ଟିଲ ଖଣିରେ ନିଯୁକ୍ତ ଟାଟା ପ୍ରୋଜେକ୍ଟ ଲିମିଟେଡ୍ (ଟିପିଏଲ) ନାମକ ଠିକା ସଂସ୍ଥାରେ ଗୁରୁବାର ଜଣେ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣା ଘଟି ଆହତ ହୋଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ଖଣ୍ଡବନ୍ଧସ୍ଥିତ ଉକ୍ତ ଠିକାସଂସ୍ଥା ଟିପିଏଲ ରେ ଜୁରୁଡି ଅଂଚଳର ଉତମ ନାଏକ (୩୬) କାର୍ଯ୍ୟ କରୁଥିବା ବେଳେ ଅସୁରକ୍ଷିତ ଭାବେ ଉପରୁ ଏକ କାଠ ପଟା ଖସି ତାଙ୍କ ମୁଣ୍ଡରେ ପଡିଥିଲା । ଫଳରେ ଶ୍ରମିକ ଉତମ ନାଏକଙ୍କ ମୁଣ୍ଡ ଫାଟି ଯିବାରୁ ସେ ଗୁରୁତର ହୋଇପଡିଥିଲେ । ଗୁରୁବାର ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ତାଙ୍କୁ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାକୁ ନିଆଯାଇଥିଲା । ଗୁରୁତର ଥିବାରୁ ଶ୍ରମିକ ଉତମ ନାଏକଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତି କରାଯାଇଥିଲା । ଆହତ ଶ୍ରମିକ ଉତମ ନାଏକଙ୍କ ମୁଣ୍ଡର ଅବସ୍ଥା ଜାଣିବା ପାଇଁ ଡାକ୍ତର ତାଙ୍କୁ ସିଟି ସ୍କାନ କରିବା ପାଇଁ ଶୁକ୍ରବାର କେନ୍ଦୁଝର ପଠାଇଥିବା ଡାକ୍ତର ଏ.କେ. ରାଏ ସୂଚନା ଦେଇଛନ୍ତି । ତେବେ ଉତମ ନାଏକଙ୍କ ସେପରି ଗଭୀର ଆଘାତ ହୋଇନଥିବା ଓ ସେ ବର୍ତମାନ ସୁସ୍ଥ ଅବସ୍ଥାରେ ଥିବା ଡାକ୍ତର ଏ.କେ. ରାଏ କହିଛନ୍ତି ।