ଯୋଡ଼ା କେନ୍ଦୁଝର ଜିଲ୍ଲା ବିଲେଇପଦା ଥାନା ସ୍ଥିତ ଟାଟା ସ୍ପଞ୍ଜ୍ ମେଟାଲ ଗେଟ୍ ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ସମେତ ୨ଟି ଛେଳିର ମୃତ୍ୟୁ ଘଟିଛି ଓ ଅନ୍ୟ ୨ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଝାଡ଼ଖଣ୍ଡ ନୂଆମୁଣ୍ଡି ଅଂଚଳର ଅଜିଜ୍ କ୍ୟୁରେସୀ । ଗୁରୁତର ଆହତ ୨ଜଣ ହେଉଛନ୍ତି ଇସମାଏଲ୍ କ୍ୟୁରେସୀ ଓ କାଳିଆ ନାଏକ । ଯୋଡ଼ାରେ ବାଇକର ପିୟୁସି କରାଇ ଓଆର ୦୯ କେ ୬୦୧୨ ନଂ ଯୋଗେ ବଳିତା ଗାଁର କାଳିଆ ନାଏକ ଘରକୁ ଫେରୁଥିଲେ ଏହି ସମୟରେ ବିପରିତ ଦିଗରୁ ଅନ୍ୟ ଏକ ବାଇକ ନଂ ଜେଏଚ୍ ୦୬ ସି ୮୬୧୮ ନମ୍ବରରେ ଅଜିଜ୍ କ୍ୟୁରେସୀ, ଇସମାଏଲ୍ କ୍ୟୁରେସୀଙ୍କ ସହ ୩ଟି ଛେଳିକୁ ନେଇ ଯୋଡ଼ା ଅଭିମୂଖେ ଆସୁଥିଲେ । ଟାଟା ସ୍ପଞ୍ଜ୍ ମେଟାଲ ଗେଟ୍ ନିକଟରେ ଓଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା, ଫଳରେ ସମସ୍ତେ ଛିଟିକି ତଳେ ପଡ଼ିଯାଇଥିଲେ । ଘଣାସ୍ଥଳରେ ହିଁ ଅଜିଜ୍ କ୍ୟୁରେସୀଙ୍କ ମୃତ୍ୟୁ ଘଟିଥିଲା । ରାସ୍ତା ଉପରେ ଛିଟିକି ପଡ଼ିବା ପରେ କୌଣସି ଏକ ହାଇବା ଗାଡ଼ି ଅଜିଜ୍ କ୍ୟୁରେସୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଗୁରୁତର ଆହତ କାଳିଆ ନାଏକକୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏମଡି ଇସମାଏଲ୍ଙ୍କୁ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଭଲ ନ ଥିବାରୁ ଇସମାଏଲ୍ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।