ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ଆହତଙ୍କ ଟଙ୍କା ଓ ମୋବାଇଲ ଫେରାଇଲେ ଆମ୍ବୁଲାନ୍ସ କର୍ମଚାରୀ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମଙ୍ଗଳବାର ରାତିରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ନୟାଗଡ ଜିଲ୍ଲା ରଣପୁର ଗ୍ରାମର ଅଜୟ କୁମାର ସାମନ୍ତରା (୨୧) । ସେ ହିଞ୍ଜିଳିକାଟୁ ଅଞ୍ଚଳର ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଜଣାପଡ଼ିଛି। ଖବର ପାଇ କୁକୁଡାଖଣ୍ଡି ଅଞ୍ଚଳର ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସଂପୃକ୍ତ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆହତଙ୍କ ଠାରୁ ଉଦ୍ଧାର ହୋଇଥିବା ମନିପର୍ସ, ଏଟିଏମ୍ କାର୍ଡ, ଏକ ଟାବଲେଟ ଫୋନ୍ ଉଦ୍ଧାର କରିଥିଲେ। ଆହତ ଜଣଙ୍କ ସଂଜ୍ଞାହୀନ ଥିବାରୁ ଉଦ୍ଧାର ୯ ହଜାର ୫୦ ଟଙ୍କା ସମେତ ଅନ୍ୟାନ ଉଦ୍ଧାର ସାମଗ୍ରୀ ଆହତଙ୍କ ସହାୟକ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ। ଲୋଭର ବଶବର୍ତ୍ତୀ ନହୋଇ ଆମ୍ବୁଲାନ୍ସ ଚାଳକ ଅଜିତ୍ ଆଚାର୍ଯ୍ୟ, ଫାର୍ମାସିଷ୍ଟ ଗୈାରବ ସ୍ବାଇଁ ଓ ସହାୟକ ରାଜିବ ଦାସ ଆହତଙ୍କ ଟଙ୍କା ଫେରାଇଥିବାରୁ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି ସଂପୃକ୍ତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି। ପ୍ରକାଶ ଯେ, ଯୁବକ ଜଣଙ୍କ କୌଣସି କାମରେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ବାଇକ୍ ଯୋଗେ ଯାଉଥିବା ବେଳେ ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶୀକାର ହୋଇଥିଲେ ।