ଦୁର୍ଘଟଣାରେ ସଂଗ୍ରାମୀ ଦାୟଦଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ କହରାପୋଖରୀ ଗ୍ରାମର ବିଶିଷ୍ଟ ସମାଜସେବୀ ଡମ୍ବରୁଧର ବେହେରା(୭୩)ଙ୍କର ଆଜି ପରଲୋକ ହୋଇଯାଇଛି। ସେ ଦିନ ପ୍ରାୟ ୧୧.୩୦ମିନିଟ ସମୟରେ ଧାମନଗର ଛକ ପଟୁ  ଏକ ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ୧୬ନଂ ଜାତୀୟ ରାଜପଥର ମଜୁରିଗଡ଼ିଆ ଠାରେ କୌଣସି ଏକ ଦ୍ରୁତଗାମୀ ଗାଡି ତାଙ୍କ ସ୍କୁଟିକୁ ଧକ୍କା ଦେବା ଫଳରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଡମ୍ବରୁଧରଙ୍କୁ ଭଦ୍ରକ ନେଇଥିବା ବେଳେ ସେଠାରୁ କଟକ ନିଆଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି । ସ୍ଵର୍ଗତ ବେହେରା ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟାଦ ଭାବେ ଅଂଚଳରେ ପରିଚିତ ଥିବା ବେଳେ କହରାପୋଖରୀ କ୍ରାନ୍ତି ମୈଦାନର ସେ ତ୍ରାଣକର୍ତ୍ତା ଥିଲେ । ଏହାଛଡା ଭଣ୍ଡାରିପୋଖରୀ ଠାରୁ ଆରମ୍ଭ କରି ଧାମନଗର ଛକ ଯାଏଁ ବିଭିନ୍ନ ସାମାଜିକ, ଧାର୍ମିକ ଓ ସଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ମୁତ୍ୟୁ ଖବର ପାଇ ବିଧାୟକ ପ୍ରଫୁଲ୍ଲ ସାମଲ, ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରିନାରାୟଣ ଧଳ, ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରୟାସକାନ୍ତି ସାମଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏତଦବ୍ୟତୀତ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ନାୟକ, ନାରିନେତ୍ରୀ ସୁଜାତା ଜେନା, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ,  ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ପ୍ରାକ୍ତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ସାମାଜିକ କର୍ମୀ ଦେବେନ୍ଦ୍ର ଦାସ, ହେମନ୍ତ ଜେନା, ଲଳିତ ରାଉତ ପ୍ରମୁଖ ପ୍ରାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ