ଦୁର୍ଘଟଣାରେ ୨୫ ଶ୍ରମିକ ମୃତ

କାନପୁର : ଉତରପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରକ ଧକ୍କା ହେବାରୁ ୨୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣାଟି ଉତରପ୍ରଦେଶ କାନପୁରର ଔରଇୟା ଅଂଚଳରେ ଘଟିଛି । ମିଳିଥିବା ସୂଚନାନୁସାରେ ରାଜସ୍ଥାନରୁ କେତେକ ଶ୍ରମିକ ଏକ ଟ୍ରକ ଯୋଗେ ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଅଭିମୁଖେ ଆସିଥିଲେ । ତେବେ ଶ୍ରମିକ ବୋଝେଇ ହୋଇ ଆସୁଥିବା ଟ୍ରକ ସହ ଆଉ ଏକ ଟ୍ରକ ଧକ୍କା ଦେଇଥିଲା ।
ଏନେଇ ଔରଇୟା ପୁଲିସ ଅଧିକାରୀ କହିଛନ୍ତିଯେ, ମିହାଉଲି ଠାରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ଟ୍ରେଲର ଟ୍ରକ ପ୍ରାୟ ୫୦ ଶ୍ରମିକଙ୍କୁ ନେଇ ରାଜସ୍ଥାନରୁ ଆସୁଥିଲା । ତେବେ ବାଟରେ ଏକ ଡିସିଏମ ଟ୍ରକ ସହ ଏହାର ଧକ୍କା ହୋଇଥିଲା । ଡିସିଏମ ଟ୍ରକଟି ଦିଲ୍ଲୀରୁ ମଧ୍ୟପ୍ରଦେଶର ଛତ୍ରପୁର ଅଭିମୁଖେ ଯାଉଥିଲା । ଧକ୍କା ହେବା ଫଳରେ ଉଭୟ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଅପରପକ୍ଷରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ