ଦୁର୍ନୀତିଖୋର ଶ୍ରମିକ ନେତାଙ୍କୁ ଜବାବ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଭୁବନେଶ୍ୱରରୁ ପ୍ରକାଶିତ ଏକ ଦୈନିକ ସମ୍ବାଦ ପତ୍ରରେ ଆଜି ପ୍ରକାଶ ପାଇଛି ଯେ ଓୟୁଏଟି କର୍ମଚାରୀ ସଂଘର ସଭାପତି ଥିବା ନବ ମହାନ୍ତିଙ୍କୁ ଅନୈତିକ ଭାବରେ ହଟାଇ ଶ୍ରୀ ଜନାର୍ଦ୍ଦନ ପତି ସଂଘର ସଭାପତି ହୋଇଛନ୍ତି । ଯାହା ସମ୍ପୂର୍ଣ୍ଣ ମିଥ୍ୟା ଓ ମହାନ୍ତିଙ୍କର ମନଗଢା କାହାଣୀ । ତାଙ୍କୁ ଆମେ ସଂଘ ତରଫରୁ ବାହାର କରିଦେଇଛୁ ବୋଲି ବିବୃତ୍ତିର ଦୃଢ ବିରୋଧ କରି ଜଣାଇଛନ୍ତି ସଂଘର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ନରାୟଣ ନାୟକ । ସେ କହିଛନ୍ତି ଦୀର୍ଘ ୩/୪ ବର୍ଷ ଧରି ନବ ମହାନ୍ତି ଆମ ସଂଘର ସଭାପତି ରହି ଠିକା ଶ୍ରମିକ ଭାଇ ଭଉଣୀମାନଙ୍କ ପାଇଁ କୌଣସି ଦାବୀ ହାସଲ କରିନାହାଁନ୍ତି । ଅପର ପକ୍ଷରେ ଆମକୁ ତାଙ୍କ ଅଫିସ୍‌କୁ ଦିନରାତି ଦୌଡ଼ାଇ କେବଳ ଚିଠି ଲେଖି ଳକ୍ଷାଧିକ ଟଙ୍କା ନେଇଛନ୍ତି । ଶହ ଶହ ଶ୍ରମିକଙ୍କ ଝାଳବୁହା ପାରିଶ୍ରମିକକୁ ଆତ୍ମସାତ୍ କରି ସି.ଆଇ.ଟି.ୟୁ.ର ନେତା ବୋଲାଉଥିବା ଏହି ଦୁର୍ନୀତିଖୋର ବ୍ୟକ୍ତିି ଜଣକ ଆମ ସଂଘକୁ ସିଟୁ ଭଳି ମହାନ୍ ସଂଗଠନ ସହିତ ସାମିଲ୍ କରାଇନଥିଲେ । ଆମେ ଓୟୁଏଟି ଶ୍ରମିକ ସଂଘର ତିନିଶହରୁ ଅଧିକ ଠିକା ଶ୍ରମିକ କର୍ମଚାରୀ ଗତ ନଭେମ୍ବର ୧୭ ତାରିଖ ଦିନ ସମ୍ମିଳନୀ କରି ସି.ଆଇ.ଟି.ୟୁ. ସହ ସହବନ୍ଧିତ ହେଲୁ ଏବଂ ସର୍ବସମ୍ମତିକ୍ରମେ ଶ୍ରୀ ଜନାର୍ଦ୍ଦନ ପତିଙ୍କୁ ସଭାପତି, ଶ୍ରୀ ପ୍ରଦିପ୍ତ ନାୟକ ଓ ଶ୍ରୀ କିଶୋର ଜେନାଙ୍କୁ ଉପସଭାପତି ଦୟିତ୍ୱ ଦେଇଛୁ । ସେଥିପାଇଁ ମହାନ୍ତିବାବୁ ରକ୍ତ ଚାଉଳ ଚୋବାଇ ହେଉଛନ୍ତି । ଏଭଳି ଶ୍ରମିକ ସ୍ୱାର୍ଥ ବିରୋଧୀ ନେତାଙ୍କୁ ଗରିବ, ମେହନତି ଶ୍ରମିକ ଜନଗଣ ଚିହ୍ନି ରଖିବା ଉଚିତ୍ । ଗତ ସାଧାରଣ ନିର୍ବାଚନରେ ସି.ପି.ଆଇ (ଏମ୍‌)ରୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଜନାର୍ଦ୍ଦନ ପତିଙ୍କୁ ଭୋଟ ନ ଦେବା ପାଇଁ ଓ ପ୍ରଚାର ନ କରିବା ପାଇଁ ଶ୍ରୀ ମହାନ୍ତି ଦିଲ୍ଲୀରେ ଥାଇ ଫୋନ୍ କରି ମୋତେ ବାରମ୍ବାର ତାଗିଦ୍ କରିଥିଲେ ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ଏଭଳି ଶ୍ରମିକ ବିରୋଧୀ ଓ ଦଳ ବିରୋଧୀ ବ୍ୟକ୍ତିଙ୍କୁ ତୁରନ୍ତ ସମସ୍ତ ସଂଘରୁ ବାହାର କରିବା ପାଇଁ ସେ ଭୁବନେଶ୍ୱରର ଅନ୍ୟାନ୍ୟ ଶ୍ରମିକ ସଂଘର ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି । ତତ୍‌ସହିତ ସିଟୁକୁ ରାଜ୍ୟରେ ମଜଭୁତ କରିବାକୁ ଓ.ୟୁଏ.ଟି. ଶ୍ରମିକ ସଂଘ ଶ୍ରୀ ଜନାର୍ଦ୍ଦନ ପତି ଓ ଶ୍ରୀ ପ୍ରଦିପ୍ତ ନାୟକଙ୍କ ନେଇ କାର୍ଯ୍ୟ କରିଚାଲିବ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ