ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣରେ ସମବାୟ ସମିତି ସମ୍ପାଦକ ବିରୁଦ୍ଧରେ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ବୁଦୁରା ପଞ୍ଚାୟତ ଅଧୀନସ୍ଥ ବଥବା ସମବାୟ ସମିତି ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । ଜୟକୁମାର ମିଶ୍ର, ସାଂଦକା ସିମାଞ୍ଚଳମ୍‌, ପାତ୍ର ବୁଦ୍ଧିଆ, ଗାବରା କ୍ରିଷ୍ଣା ଓ ଅନ୍ୟ ବହୁ ଚାଷୀ କରିଥିବା ଅଭିଯୋଗ ଅନୁଯାୟୀ ଉକ୍ତ ସମବାୟ ସମିତିର ସେକ୍ରେଟାରି ପି.ରାଘବ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣରେ ଜଡିତ । ମଣ୍ଡିରେ ଧାନ କିଣାବିକା କ୍ଷେତ୍ରରେ ସେ ନିଜ ବନ୍ଧୁବାନ୍ଧବ ଆତ୍ମୀୟସ୍ୱଜନଙ୍କୁ ଅଗ୍ରାଧିକାର ଦେବା ସହ ଅନ୍ୟ ଚାଷୀମାନଙ୍କୁ ଜାଣିଶୁଣି ଅସୁବିଧାରେ ପକାଉଛନ୍ତି । ସଂପୃକ୍ତ ମିଲର୍ ମାନଙ୍କ ସହ ତାଙ୍କର ଆସାଧୁ ମଧୁଚନ୍ଦ୍ରିକା ଚାଲିଥିବାରୁ ମିଲରମାନେ ଟାର୍ଗେଟ ପୂରିଗଲା କହି ଚାଷୀଙ୍କୁ ଫେରାଇ ଦେଉଛନ୍ତି ବା ଚାଷୀମାନେ ମିଲକୁ ପଠାଇଥିବା ଧାନ ପକାଇ ରଖୁଛନ୍ତି । ଧାନର ବିକ୍ରିଲବ୍ଧ ଅର୍ଥ ଚାଷୀଙ୍କ ଆକାଉଣ୍ଟକୁ ଆସିପାରୁ ନାହିଁ । ନିରାଶ ହୋଇ ବହୁ ଚାଷୀ ସରକାରଙ୍କୁ ଦ୍ୱାରା ଧାର୍ଯ୍ୟ ମୂଲ୍ୟ ଠାରୁ କମ୍ ମୂଲ୍ୟରେ ଧାନ ବିକି କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ଚାଷୀ ଭାଗିରଥୀ ଚୌଧୁରୀଙ୍କ କହିବା ଅନୁଯାୟୀ, ପ୍ରାୟ ୧୫ ଦିନ ହେଲା ତାଲା ଝୁଲୁଛି ସମବାୟ ସମିତି କାର୍ଯ୍ୟାଳୟରେ । ସେକ୍ରେଟାରିଙ୍କ ଦେଖା ଦର୍ଶନ ନାହିଁ କି ସେ ଫୋନ୍ ବି ଉଠାଉ ନାହାନ୍ତି ଅନ୍ୟ ଜଣେ ଚାଷୀ ଖଳା ପାଖରେ ଟାର୍ପୁଲିନ୍ ଘୋଡାଇ ଖୋଲା ଆକାଶ ତଳେ ପଡିଥିବା ତାଙ୍କ ଧାନ ଦେଖାଇ କହିଛନ୍ତି ଯେ, ମୂଷାମାନଙ୍କ କବଳରୁ ଧାନକୁ ରକ୍ଷା କରିବା କଷ୍ଟକର ହୋଇ ପଡୁଛି । ଯଦି ବର୍ଷା ପଡିଯାଏ ତେବେ ମୂଷା ଖାଇ ସାରିବା ପରେ ଯେତିକି ଧାନ ବଳିଥିବ ସେତକ ବି ନଷ୍ଟ ହୋଇଯିବ । କାଶୀନଗର ରଇତ ସଂଘ ସଭାପତି ପ୍ରଶାନ୍ତ ମିଶ୍ରଙ୍କୁ ଏ ସଂପର୍କରେ ଯୋଗାଯୋଗ କଲାବେଳେ ସେ ଜଣାଇଛନ୍ତି ଯେ, ଅଭିଯୋଗ ପାଇବା ପରେ ସେ ଓ କେତେଜଣ ଗଣ ମାଧ୍ୟମ ପ୍ରତିନିଧି ବଥବା ଯାଇଥିଲେ । ସମବାୟ ସମିତି କାର୍ଯ୍ୟଳୟ ସେତେବେଳକୁ ବନ୍ଦଥିଲା ଓ କାର୍ଯ୍ୟାଳୟ ବାରଣ୍ଡାରେ ବହୁ ଧାନବସ୍ତା ରହିଥିବା ଦେଖିବାକୁ ମିଳିଥିଲା । ଚାଷୀମାନଙ୍କ ସହ ଆଲୋଚନା ପରେ ସମବାୟ ସମିତି ସଂପାଦକଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ସେ ଫୋନ୍ ଉଠାଇ ନଥିଲେ । ତେବେ ଚାଷୀଙ୍କ ସହ ଆଲୋଚନାରୁ ସ୍ପଷ୍ଟ ହୋଇଛି ଯେ, ବଥବା ସମବାୟ ସମିତିରେ ଚାଲିଥିବା ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଅଭିଯୋଗ ଅମୂଳକ ନୁହେଁ । ଗଜପତି ଜିଲ୍ଲାପାଳ ହସ୍ତକ୍ଷେପ କରି ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବା ଉଚିତ । ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବା ଭଳି ପରିସ୍ଥିତ ଉପୁଜିବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ