ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଦାବିପତ୍ର

ହାଟଡିହି,(ଯୁଗାବ୍ଦ ନ୍ୟୁଜ): ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେବାସହ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ସ୍ୱଚ୍ଛ ଭାରତ ଯୋଜନା, କାମ୍ପା ଫଣ୍ଡରେ ଆସୁଥିବା ଅନୁଦାନ ହଡପ କରାଯାଉଥିବା ନେଇ ଭାରତୀୟ ଜନତାପାର୍ଟି ପକ୍ଷରୁ ବିଡିଓଙ୍କ ନିକଟରେ ଅଭିଯୋଗ କରାଯାଇଛି । ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା କରାଯାଇଛି । ଲ୍ୟାଣ୍ଡ ଡେଭଲପମେଣ୍ଟ କାମରେ ଦୁଇ ଚାରି ଟ୍ରାକ୍ଟର ମାଟି ପକାଇ ଲକ୍ଷାଧିକ ଟଙ୍କା ଉଠାଇ ନିଆଯାଉଥିବାବେଳେ ମେସିନି ସାହାଯ୍ୟରେ କାମ କରାଯାଇ ଜବକାର୍ଡଧାରୀଙ୍କୁ ହତାଶ କରାଯାଉଛି । ଏପରିକି ମଲା ଲୋକଙ୍କୁ ଶ୍ରମିକ ଭାବେ ଦର୍ଶାଇ ଜବକାର୍ଡରେ ମଜୁରୀ ଦିଆଯାଉଛି । ଅନେକ ବୃଦ୍ଧବୃଦ୍ଧା, ସରକାରୀ ଚାକିରିଆଙ୍କୁ ମଧ୍ୟ ଶ୍ରମିକ ଭାବେ ଦର୍ଶାଯାଇ ମଜୁରୀ ଟଙ୍କାକୁ ହଡପ କରାଯାଉଛି । ଗୋଟିଏ ଗୋଟିଏ ଲୋକ ଦୁଇ ତିନୋଟି ମୋ ପୋଖରୀ, ଲ୍ୟାଣ୍ଡ ଡେଭଲପମେଣ୍ଟଯୋଜନା ହାତେଇ ନେଇଛନ୍ତି । ବର୍ତ୍ତମାନ ସମୟରେ କୋଭିଡ-୧୯ ପାଇଁ ପ୍ରବାସୀ ଓଡିଆ ମାନେ ଘରକୁ ପଳାଇ ଆସିଥିବାବେଳେ ମନରେଗା ଯୋଜନାରେ ସେମାନଙ୍କୁ କାମ ଯୋଗାଇ ଦିଆନଯାଇ ମେସିନି ସାହାଯ୍ୟରେ କାମ କରାଯାଉଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ବଣ୍ଟନରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଦିଆ ଯାଇ ନଥିବାବେଳେ କିଛି ଅଯୋଗ୍ୟ ହିତାଧିକାରୀମାନେ ନିଜ ନିଜ ସମ୍ପର୍କୀୟଙ୍କ ନାମରେ ଦୁଇ ତିନୋଟି ଘର ହାତେଇ ନେବାରେ ସଫଳ ହୋଇଛନ୍ତି । ସେହିପରି ଅନେକ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମାଣ କରାଯାଇଥିବା ପାଇଖାନା ହଡପ କରାଯାଇଥିବା ଅଭିଯୋଗ କରିଛନ୍ତି । ଆଦୌ ପାଇଖାନା ନିର୍ମାଣ ନକରି ହିତାଧିକାରୀଙ୍କ ଟଙ୍କାକୁ ହଡପ କରାଯାଇଛି । ଅନ୍ୟ କିଛି ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରୁଥିବାବେଳେ ସେମାନଙ୍କ ଠାରୁ ୩/୪ହଜାର ଟଙ୍କାର ପିସି ଆଦାୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ସେହିପରି ବ୍ଲକକୁ ଆସୁଥିବା କାମ୍ପା ଅନୁଦାନ ଫଣ୍ଡରେ ବନିକରଣ, ବନ୍ୟଜନ୍ତୁ ସଂରକ୍ଷଣ, ଜଂଗଲ ସୃଷ୍ଟି କରାଯିବା ସହିତ ଆଦିବସୀ କଲ୍ୟାଣରେ ଖର୍ଚ୍ଚ କରାଯିବାକୁ ଯୋଜନା ଥିବାବେଳେ କାମ କରାନଯାଇ ଅନୁଦାନକୁ ହଡପ କରାଯାଉଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲ, ବିଜେପିର ବିସ୍ତାରକ ହରମୋହନ ଶାସିନି, ସୁଶାନ୍ତ କୁମାର ଜେନା, ହରିଜନ ମୋର୍ଚ୍ଚା ସଭାପତି ରାଜକିଶୋର ଯେନା, ଅଧର କୁମାର ବେହେରା ପ୍ରମୁଖ ଅଭିଯୋଗ କରି ଏକ ଦାବିପତ୍ର ବିଡିଓ ଜୟଦେବ ଦାସଙ୍କୁ ପ୍ରଦାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବ୍ଲକର ଅନେକ ଗାଁ ରାସ୍ତା ଗୁଡିକ ବିପର୍ଯ୍ୟସ୍ଥ ହୋଇପଡିଥିବାରୁ ସେ ଗୁଡିକ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ